Home > ରାଷ୍ଟ୍ରୀୟ
ମମତା ବାନାର୍ଜୀଙ୍କ ଘୋଷଣା, ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁ ନାହିଁ ସଂଶୋଧିତ ମୋଟର ଯାନ ଆକ୍ଟ
Khabar Odisha:national-odisha--mamata-banerjee-said-new-motor-vehicle-act-will-not-apply-in-west-bengal
କୋଲକାତା,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହୋଇଛି । ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଗୁଜରାତ ସରକାର ନିଜ ରାଜ୍ୟରେ ଜୋରିମାନା ହ୍ରାସ  କରିଥିବା ବେଳେ ଆଉ କେତେକ ରାଜ୍ୟ ଏହା ଉପରେ ବିଚାର କରୁଛନ୍ତି। ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆକ୍ଟ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ଏହି କାନୁନ ଲୋକଙ୍କ ଉପରେ ବୋଝ। ଆମେ ଏହାକୁ ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁ ନାହିଁ।

ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ମୋଟର ଯାନ ଆକ୍ଟକୁ ଆମେ ପଶ୍ଚିମବଙ୍ଗରେ ଲାଗୁ କରି ପାରିବୁ ନାହିଁ। କାରଣ ଆମେ ଯଦି ଏହା ଲାଗୁ କରିବୁ ତେବେ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ। ଆମେ  ଲୋକଙ୍କୁ ଅପିଲ କରୁଛୁ ଯେ ସେମାନେ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ ଏବଂ ନିଜର ଜୀବନ ବଞ୍ଚାନ୍ତୁ। ଏଥିରେ କିଛି ମାତ୍ରାରେ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଯାଇ ପାରିବ। ଆମେ ସଂସଦରେ ଏହି କାନୁନକୁ ବିରୋଧ କରିଥିଲୁ ବୋଲି ମମତା କହିଛନ୍ତି।

ଏହା ପୂର୍ବରୁ ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଙ୍ଗଳବାର ସଂଶୋଧିତ ମୋଟର ଯାନ ଆକ୍ଟ ଆଧାରରେ ନିର୍ଦ୍ଧାରିତ ଜୋରିମାନା ରାଶିକୁ କମ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ଦୁଇ ଚକିଆ ଯାନ ଓ କୃଷି କାର୍ଯ୍ୟରେ ଲାଗିଥିବା ବାହାନକୁ ଛାଡ଼ ଦେବାକୁ ଘୋଷଣା କରିଛନ୍ତି। ରୂପାନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ଏହି ନୂତନ ନିୟମକୁ ଧାରା ୫୦ ଆଧାରରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଜୋରିମାନା ରାଶି ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। 

ରାଜ୍ୟ ସରକାରଙ୍କ ପରିସରଭୁକ୍ତ

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ  ବୁଧବାର ସ୍ପଷ୍ଟ କରିଛନ୍ତି ଯେ ମୋଟର ଯାନ ସଂଶୋଧିତ ବିଲରେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ। ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ଯେ ସେମାନେ ଏହାକୁ ଲାଗୁ କରିବେ କି ନାହିଁ। କିନ୍ତୁ ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ସେମାନଙ୍କୁ ସଚେତନ କରିବାକୁ ଏହି ନିୟମ ଲାଗୁ କରିଛୁ।