Home > ରାଷ୍ଟ୍ରୀୟ
ଜାଣନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଦୁଇ ‘ପିକେ’ କିଏ, ଯାହାଙ୍କୁ ମିଳିଲା ଗୁରୁ ଦାୟିତ୍ଵ
Khabar Odisha:national-odisha-Pk-Mishra-Takes-Charge-As-Principal-Secretary-To-Prime-Minister-Narendra-Modi
ନୂଆଦିଲ୍ଲୀ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ପଦମୁକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିକେ ଅକ୍ଷରରୁ ଆରମ୍ଭ  ହେଉଥିବା ଦୁଇ ବଡ଼ ଅଧିକାରୀଙ୍କୁ ବଡ଼ ପଦରେ ନିଯୁକ୍ତି ଦେଇଛନ୍ତି। ନୃପେନ୍ଦ୍ରଙ୍କ ସ୍ଥାନରେ ପ୍ରମୋଦ କୁମାର ମିଶ୍ର(ପିକେ ମିଶ୍ର)ଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂତନ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ପ୍ରମୋଦଙ୍କୁ କ୍ୟାବିନେଟ୍ ପାହ୍ୟାର ମାନ୍ୟତା ମଧ୍ୟ ମିଳିଛି। ଅନ୍ୟ ପଟେ ପ୍ରଦୀପ କୁମାର ସିହ୍ନାଙ୍କୁ(ପିକେ ସିହ୍ନା) ମୋଦୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ପିକେ ମିଶ୍ରଙ୍କ ନିଯୁକ୍ତି ଆଜି ପ୍ରଭାବରୁ ଲାଗୁ ହୋଇ ଯାଇଛି।

ନୃପେନ୍ଦ୍ର ମିଶ୍ର ୨୦୧୪ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ରୂପେ କାର୍ଯ୍ୟରତ ଥିଲେ ଏବଂ ନୂତନ ସରକାର ଗଠନ ହେବା ପରେ ତାଙ୍କର କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଥିଲା। ମାତ୍ର ଗତ ମାସରେ ତାଙ୍କୁ କାର୍ଯ୍ୟମୁକ୍ତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ପରେ ପିକେ ମିଶ୍ରଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। 

ମୋଦୀଙ୍କ ନିକଟତର ଅଧିକାରୀଙ୍କ ମଧ୍ୟରୁ ଜଣେ ହେଲେ ପିକେ ମିଶ୍ର

ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ଅଧିକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର। ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଥିବା ମିଶ୍ର  ଓ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାତରେ ଏକାଠି କାମ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯେବେ ଗୁଜରାତରେ ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ମିଶ୍ର ତାଙ୍କ ସହିତ କାମ କରିଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଭାବେ ମିଶ୍ର ନିର୍ଦ୍ଧାରିତ ସମୟରେ କାମ ପୂରା କରିବାର କୁଶଳତା ପାଇଁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପି.କେ ମିଶ୍ର । ସେ ଓଡ଼ିଶାର ସମ୍ବଲପୁର ସହରର ପଟ୍ଟନାୟକ ପଡ଼ା ବାସିନ୍ଦା । ସେ ୧୯୭୨ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ ।

୨୦୦୧ରୁ ୨୦୦୪ ଯାଏଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ଏହା ପରେ ୨୦୦୬ରୁ ୨୦୦୮ ଯାଏଁ ପ୍ରାମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ । ଏନଏଡିପି ଓ ଖାଦ୍ୟ ସୁରକ୍ଷା ମିଶନ କାର୍ଯ୍ୟକାରୀ କରିଥିଲେ ।

କିଏ ଏହି ପିକେ ସିହ୍ନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପରାମର୍ଶଦାତା ରୂପେ ନିଯୁକ୍ତ ପ୍ରଦୀପ କୁମାର ସିହ୍ନା ୧୯୭୭ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡରର ଅଧିକାରୀ। ସିହ୍ନା ଉର୍ଜା ସଚିବ ଓ ସିପିଂ ସଚିବ ଭାବେ କେନ୍ଦ୍ରରେ କାମ କରି ସାରିଛନ୍ତି।  ସିହ୍ନା ଅର୍ଥଶାସ୍ତ୍ରରୁ ସ୍ନାତକ ଓ ସ୍ନାତକତ୍ତୋର ପାଠ୍ୟକ୍ରମ କରିଛନ୍ତି। ସିହ୍ନା ଉତ୍ତର ପ୍ରଦେଶ ଓ ଭାରତ ସରକାରରେ ଅନେକ ମହତ୍ଵପୂର୍ଣ୍ଣ  ପଦରେ କାମ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟତର ଅଧିକାରୀଙ୍କୁ ମଧ୍ୟରୁ ସେ ଜଣେ। ଏହି ନିଯୁକ୍ତି ପୂର୍ବରୁ ସିହ୍ନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ କାର୍ଯ୍ୟରତ ଥିଲେ।