Home > ରାଷ୍ଟ୍ରୀୟ
‘ଓମ’ ଓ ‘ଗାଈ’ର ଶବ୍ଦ ଶୁଣିବା ମାତ୍ରେ କିଛି ଲୋକଙ୍କୁ କରେଣ୍ଟ ଲାଗୁଛି: ନରେନ୍ଦ୍ର ମୋଦୀ
Khabar Odisha:national-odisha-prime-minister-narendra-modi-attacks-opposition-in-mathura-under-the-pretext-of-cow-and-om
ମଥୁରା,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

କାହ୍ନାର ନଗରୀ ମଥୁରାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଓମ’ ଓ ‘ଗାଈ’ ବାହାନାରେ ବିରୋଧୀଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ ‘ଓମ’ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି ଏବଂ ଆଉ କିଛି ଲୋକଙ୍କ କାନରେ ‘ଗାଈ’ ଶବ୍ଦ ପଡ଼ିବା ମାତ୍ରେ ସେମାନଙ୍କ ଚୁଟି ଠିଆ ହୋଇ ଯାଉଛି ଏବଂ  କରେଣ୍ଟ ଲାଗୁଛି। ସେମାନଙ୍କୁ ଲାଗୁଛି ଯେ ଦେଶ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀକୁ ଚାଲି ଯାଇଛି। ଏମିତି ଲୋକ ହିଁ ଦେଶକୁ ବର୍ବାଦ କରି ରଖିଛନ୍ତି।

ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କୀ ହମଲାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ଏକ ବୈଶ୍ଵିକ ସମସ୍ୟା। ଆଜି ଆତଙ୍କବାଦ ଏକ ବିଚାରଧାରା ପାଲଟି ଯାଇଛି। ପଡ଼ୋଶୀ ଦେଶରେ ଆତଙ୍କବାଦଙ୍କ ଲାଳନ ପାଳନ ହେଉଛି। ଆମେ ସେମାନଙ୍କୁ ଦୃଢତାର ସହ ସାମ୍ନା କରୁଛେ ଓ ଆଗକୁ ମଧ୍ୟ ଏମିତି କରି ଚାଲିଥିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ପ୍ରଶିକ୍ଷଣ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭାରତ ସଂପୂର୍ଣ୍ଣ ସକ୍ଷମ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ରଜଭୂମୀ ସର୍ବଦା ପୂରା ବିଶ୍ଵ ଓ ସମଗ୍ର ମାନବିକତାକୁ ପ୍ରେରିତ  କରିଛି। ଆଜି ପୂରା ବିଶ୍ଵ  ପରିବେଶ ସଂରକ୍ଷଣ ପାଇଁ ରୋଲ୍ ମୋଡେଲର ସନ୍ଧାନରେ ଅଛି ମାତ୍ର ଭାରତ ପାଖରେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ପ୍ରେରଣାଦାୟୀ ସ୍ରୋତ ରହିଛି, ଯାହାଙ୍କ କଳ୍ପନା ହିଁ ପରିବେଶ ପ୍ରେମ ବିନା ଅଧୁରା ରହିଛି। ପ୍ରକୃତି, ପରିବେଶ ଓ ପଶୁଧନ ବିନା ଯେତିକି ଅଧୁରା ଆମର ଆରାଧ୍ୟ ନଜର ଆସୁଛନ୍ତି, ସେତିକି ହିଁ ଅଧୁରାପଣ ଆମକୁ ଭାରତରେ ମଧ୍ୟ ନଜର ଆସୁଛି। ପରିବେଶ ଓ ପଶୁଧନ ସର୍ବଦା ଭାରତର ଆର୍ଥିକ ଚିନ୍ତନର ମହତ୍ଵପୂର୍ଣ୍ଣ ଅଂଶ  ହୋଇ ରହିଛି। 

୧୦୦ ଦିନରେ ଅଦ୍ଭୁତପୂର୍ଣ୍ଣ କାମ କରି ଦେଖାଇଛୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଜନାଦେଶ ପରେ କାହ୍ନାର ନଗରୀରେ ପ୍ରଥମ ଥର ଆସିବାକୁ ସୌଭାଗ୍ୟ ପ୍ରାପ୍ତ ହୋଇଛି। ଏଥର ମଧ୍ୟ ପୂରା ଉତ୍ତର ପ୍ରଦେଶର ଆଶୀର୍ବାଦ ମୋର ଏବଂ ମୋର ସାଥୀଙ୍କୁ ମିଳିଛି। ଦେଶହିତରେ ଆପଣଙ୍କର ଏହି ନିର୍ଣ୍ଣୟ ପାଇଁ ବ୍ରଜଭୂମୀରୁ ଆପଣଙ୍କ ସାମ୍ନାରେ ନତମସ୍ତକ ହେଉଛି। ଆପଣ ସମସ୍ତଙ୍କ ଆଦେଶ ଅନୁରୂପ ଗତ ୧୦୦ ଦିନରେ ଆମେ ଅଦ୍ଭୁତପୂର୍ବ କାମ କରି କି ଦେଖାଇଛୁ। ମୋତେ ବିଶ୍ଵାସ ଯେ ଦେଶର ବିକାଶ ପାଇଁ ଆପଣଙ୍କ ଏହି ସମର୍ଥନ ଓ ଆଶୀର୍ବାଦ ଆମକୁ ମିଳି ଚାଲିଥିବ।