Home > ରାଷ୍ଟ୍ରୀୟ
ଚନ୍ଦ୍ରଯାନ-୨: ଚନ୍ଦ୍ରରେ ଛାଇଲା ଘନ ଅନ୍ଧକାର, ଆସନ୍ତା ମାସରେ ଜଣା ପଡ଼ିବ ବିକ୍ରମର ସ୍ଥିତି କେମିତି ଅଛି
Khabar Odisha:national-odisha-chandrayaan-2-dark-night-on-the-moon-now-next-month-will-know-the-true-condition-of-vikram-lande
ବେଙ୍ଗାଲୁରୁ,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧକାର ଛାଇବା ସହିତ ଭାରତର ମହତ୍ଵାକାଂକ୍ଷୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରାଯିବାର ସମସ୍ତ ଆଶା ମଉଳି ଯାଇଛି। ବିକ୍ରମ ସହ ସଂପର୍କ ଛିନ୍ନ ହେବା ପରେ ୧୪ ଦିନ ହେବ ଲୋକେ ପୁନଃ ଯୋଗାଯୋଗ ନେଇ ଆଶା ବାନ୍ଧି ବସିଥିଲେ। ମାତ୍ର ଶନିବାର ଭୋରରୁ ଚନ୍ଦ୍ରରେ ରାତି ଆରମ୍ଭ ହେବା ସହିତ ବିକ୍ରମ ସହ ଯୋଗାଯୋଗର ସମସ୍ତ ସମ୍ଭାବନା ଶେଷ ହୋଇଛି। କଥତ ପ୍ରୟାସ ପରେ ବି ବିକ୍ରମ ସହ ସଂପର୍କ ସ୍ଥାପନ ନହେବା ପରେ ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରର ପୃଷ୍ଠରେ ନିର୍ଜୀବ ହୋଇ ପଡ଼ି ରହିଥିବା ବିକ୍ରମର ଅବସ୍ଥା କଣ ହେବ ? ଚନ୍ଦ୍ର ପୃଷ୍ଠରେ ବିଯୁକ୍ତ ୧୭୩ ଡିଗ୍ରୀ ସେଲସିୟସ ଥଣ୍ଡାରେ ଜମି ରହିବା ପରେ ବିକ୍ରମର ଅବସ୍ଥା କଣ ହେବ ? ଏହି ସବୁ ପ୍ରଶ୍ନର ଉତ୍ତର ଆଗାମୀ ମାସରେ ନାସା ଦେଇ ପାରିବ।

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଲୁନାର ରିକନସେନ୍ସ ଅର୍ବିଟର(ଏଲଆରଓ)ର ପ୍ରଜେକ୍ଟ ବୈଜ୍ଞାନିକ କହିଛନ୍ତି ଯେ ଏଲଆରଓ ସେପ୍ଟେମ୍ବର ୧୭ରେ ସେହି ସ୍ଥାନ ଦେଇ ଗତି କରିଥିଲା ଯେଉଁଠି ଲ୍ୟାଣ୍ଡର ବିକ୍ରମ  ହାର୍ଡ ଲାଣ୍ଡିଂ କରିଥିଲା। ସେହି ସମୟରେ ଚନ୍ଦ୍ରରେ ସନ୍ଧ୍ୟା ହୋଇ ଆସୁଥିଲା। ଏଲଆରଓ ବିକ୍ରମ ଅବତରଣ କରିଥିବା ସ୍ଥାନର ଫଟୋ ଉଠାଇଥିଲା ମାତ୍ର ବିକ୍ରମ ଖସିଥିବା ପ୍ରକୃତ ସ୍ଥାନର ସନ୍ଧାନ ପାଇନଥିଲା। 

ସେ କହିଛନ୍ତି ଯେ ଏବେ ଏଲଆରଓ ଅକ୍ଟୋବର ୧୪ରେ ଅବତରଣ ସାଇଟରେ ଗତି କରିବ। ସେହି ସମୟରେ ଚନ୍ଦ୍ରରେ ଦିନ ହୋଇଥିବ ଏବଂ ଭଲ ଫଟୋ ଉଠାଯାଇ ପାରିବ। ନାସା ଅକ୍ଟୋବର ୧୭ରେ ଫଟୋର ଯାଞ୍ଚ କରିବା ପରେ ଏହା ସମ୍ବନ୍ଧିତ ସୂଚନା ଜାରି କରିବ। ଅର୍ଥାତ ବିକ୍ରମର ଅବସ୍ଥା ନେଇ କିଛି ତଥ୍ୟ ମିଳି ପାରିବ। 

ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଅନୁସାରେ ତଥ୍ୟର ବିଶ୍ଳେଷଣରୁ ଜଣା ପଡ଼ିଛି ଯେ ବିକ୍ରମ ପ୍ରାୟ ୨୦୦ କିମି ବେଗରେ ଚନ୍ଦ୍ରର ଭୂପୃଷ୍ଠରେ ଧକ୍କା ହୋଇଥିଲା। ଅର୍ବିଟର ବିକ୍ରମର ଯେଉଁ ଫଟୋ ଉଠାଇଛି, ତାହା ଦେଖି ଲାଗୁଛି ଯେ ବିକ୍ରମର ଦୁଇଟି ଗୋଡ଼ ଚନ୍ଦ୍ର ପୃଷ୍ଠରେ ପଶି ଯାଇଛି। ଗୋଡ଼ ଦୁଇଟି ମୋଡ଼ି ଯାଇଥିବା ମଧ୍ୟ ସମ୍ଭାବନା ରହିଛି କିମ୍ବା ବିକ୍ରମ ଅଣି  ହୋଇ ପଡ଼ିଛି। ସ୍ଵତଃପ୍ରବୃତ ଅବତରଣ ପ୍ରକ୍ରିୟାରେ କିଛି ତ୍ରୁଟି ହେବାରୁ ବିକ୍ରମ ହାର୍ଡ ଲାଣ୍ଡିଂ କରିଥିବା ଅନୁମାନ କରାଯାଉଛି। 

ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ଯେ ଆମେ ଏହି ୧୪ ଦିନ ବିକ୍ରମ ସହ ଯୋଗାଯୋଗ କରିବାକୁ ଯଥା ସମ୍ଭବ ପ୍ରୟାସ କରିଛୁ ମାତ୍ର ଏବେ ଆଶା ମଉଳି ଯାଇଛି। କାରଣ ଚନ୍ଦ୍ରରେ ରାତି ସମୟରେ ବିଯୁକ୍ତ ୧୮୦ ଡିଗ୍ରୀ ତାପମାତ୍ରାରେ ବିକ୍ରମର ଉପକରଣ ଠିକ୍ ରହିବା ସମ୍ଭବ ନୁହଁ। ଏଥିରେ ଯେତିକି ଶକ୍ତି ଦିଆଯାଇଥିଲା ତାର ସମୟସୀମା ସମାପ୍ତ  ହୋଇ ସାରିଛି। ସେଠାରେ ଉର୍ଜା ଦେବାରେ କୌଣସି ବ୍ୟବସ୍ଥା ନାହିଁ। ଏବେ ଆସନ୍ତା ମାସକୁ ଅପେକ୍ଷା। ସେହି ସମୟରେ ଚନ୍ଦ୍ରରେ ଦିନ ରହିବ ଏବଂ ନାସାର ଅର୍ବିଟର ଫଟୋ ଉଠାଇ ପାରିବ।