Home > ରାଷ୍ଟ୍ରୀୟ
ଦିଲ୍ଲୀରେ ସରକାରୀ ହସ୍ପିଟାଲରେ ଏବେ ଭିଆଇପି ସଂସ୍କୃତିରେ ପୂର୍ଣ୍ଣଚ୍ଛେଦ, ମିଳିବନି ବ୍ୟକ୍ତିଗତ କୋଠରୀ –ଅରବିନ୍ଦ କେଜରିୱାଲ
Khabar Odisha:national-odisha-delhi-cm-arvind-kejriwal-orders-to-ban-vip-culture-as-no-private-rooms-in-government-hospitals
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

 ଦିଲ୍ଲୀ ସରକାରୀ ହସ୍ପିଟାଲରେ ଏବେ ଭିଆଇପି ସଂସ୍କୃତି ଉପରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଦିଲ୍ଲୀ ସରକାରୀ ହସ୍ପିଟାଲରେ ଏବେ ବ୍ୟକ୍ତିଗତ ରୁମ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଘୋଷଣା କରିଛନ୍ତି। ଏବେ ସେଠାରେ ସମସ୍ତ ନାଗରିକଙ୍କୁ ସମାନ ଭାବରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ପରେ ସରକାରୀ ହସ୍ପିଟାଲରେ ବ୍ୟକ୍ତିଗତ ରୁମ ପାଇଁ ମାରପିଟ କମିଯିବ। ଏହା ସହ ସମସ୍ତ ଲୋକଙ୍କୁ ସମାନ ସୁବିଧା ମିଳିବ। ଏତଦ୍ ବ୍ୟତୀତ ଦିଲ୍ଲୀ ସରକାର ସରକାରୀ ହସ୍ପିଟାଲରେ ୧୩,୮୯୯ବେଡ ପକାଇବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏବେ ସରକାରୀ ହସ୍ପିଟାଲରେ ୧୧,୩୫୩ ବେଡ୍ ରହିଛି। 

ହସ୍ପିଟାଲରେ ଲାଗିବ ଏ.ସି

ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ କହିବା ଅନୁଯାୟୀ, ଦିଲ୍ଲୀ ହସ୍ପିଟାଲରେ ସମସ୍ତ ଲୋକଙ୍କ ପାଇଁ ସମାନ ସୁବିଧା ଦିଆଯିବ। ସବୁ ହସ୍ପିଟାଲରେ ଏ.ସି ଲଗାଯିବ। ବହୁ ଛୋଟ ବଡ ହସ୍ପିଟାଲରେ ମଧ୍ୟ ଏ.ସି ଲଗାଯିବ। ପୂର୍ବରୁ ସବୁ ହସ୍ପିଟାଲରେ ଏ.ସିର ସୁବିଧା ନଥିଲା। ତେବେ ଏଥିପାଇଁ କାମ ଆରମ୍ଭ ହୋଇ ଗଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ନୂତନ ହସ୍ପିଟାଲ ହେବ ନିର୍ମାଣ

ଦିଲ୍ଲୀରେ ସ୍ଵାସ୍ଥ୍ୟ ସେବାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟରେ ଦିଲ୍ଲୀର ବହୁ ଅଞ୍ଚଳରେ ହସ୍ପିଟାଲ ନିର୍ମାଣ କରିବାକୁ କୁହାଯାଇଛି। ଏତଦ୍ ବ୍ୟତୀତ କ୍ୟାବିନେଟରୁ ଏହାକୁ ମଞ୍ଜୁରୀ ମଧ୍ୟ ଦିଆଯାଇଛି। ଟେଣ୍ଡର ମଧ୍ୟ ହୋଇ ସାରିଲାଣି। ଏହା ସହ ରିପୋର୍ଟରେ କୁହାଯାଇଛି କି, ଖିଚଡିପୁରର ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲରେ ଏକ ନୂଆ ମା ଏବଂ ଶିଶୁ ୱାର୍ଡ ନିର୍ମାଣ ହେବ। ଏଥିରେ ୪୬୦ ବେଡ ରହିବ।