Home > ରାଷ୍ଟ୍ରୀୟ
୭୦ ବର୍ଷର ଧାରା ୩୭୦ ଓ ୩୫(ଏ) ୭୦ ଦିନରେ ହଟାଗଲା, ମୋ ପାଇଁ ରାଜନୈତିକ ନୁହେଁ ଦେଶର ଭବିଷ୍ୟତ ସବୁକିଛି
Khabar Odisha:national-odisha-narendra-modi-independent-day-august-15-lalkilla-prime-minister-speech
ନୂଆଦିଲ୍ଲୀ, ଅଗଷ୍ଟ ୧୫(ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆତଙ୍କବାଦ, ଦୁର୍ନୀତି, ଜଳ ସଂରକ୍ଷଣ, ଜନସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି ।  

ସେ କହିଛନ୍ତି, ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା । ଆଜି ରାକ୍ଷୀ ପୂର୍ଣ୍ଣିମା । ଏହା ଭାଇ ଓ ଭଉଣୀଙ୍କ ତ୍ୟାଗକୁ ବର୍ଣ୍ଣନା କରିଥାଏ । ଆଜି ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି ସେହି ସମୟରେ ଦେଶର ଅନେକ ଭାଗରେ ବନ୍ୟା ହୋଇଛି । ଅନେକ ପ୍ରଭାବିତ ହେଉଛନ୍ତି । ଆତ୍ମୀୟଙ୍କୁ ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ନାଗରିକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଦେଶର ସ୍ୱାଧୀନ ପାଇଁ ଯେଉଁମାନେ ନିଜର ଜୀବନ ତ୍ୟାଗ କରିଛନ୍ତି, ଜେଲ ଯାଇଛନ୍ତି, ଫାଶୀ ପାଇଛନ୍ତି ସେମାନଙ୍କୁ ଶତ ଶତ ପ୍ରଣାମ । ଦେଶ ସ୍ୱାଧୀନ ହେବା ପରେ ଦେଶର ଶାନ୍ତି ସୁରକ୍ଷା ପାଇଁ ଲକ୍ଷାଧିକ ଲୋକ ସେମାନଙ୍କ ଯୋଗଦାନ ଦେଇଛନ୍ତି । ସେମାନଙ୍କୁ ମଧ୍ୟ ପ୍ରଣାମ  ।

ଜନତାଙ୍କ ସ୍ୱପ୍ନ ସାକାର କରିବା ପ୍ରଧାନ ଉଦ୍ଦେଶ୍ୟ

ମୋଦୀ କହିଛନ୍ତି ନୂଆ ସରକାର ହେବା ପରେ ଲାଲକିଲ୍ଲାରେ ଭାଷଣ ଦେବା ପାଇଁ ଅବସର ମିଳିଛି । ନୂଆ ସରକାରରୁ ୧୦ ସପ୍ତାହ ହୋଇନି । କିନ୍ତୁ ଏହି ସମୟରେ ମଧ୍ୟ ସରକାର ବିଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ସମୟ ମଧ୍ୟରେ ଧାରା ୩୭୦, ୩୫ଏ ହଟିବା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନ ସାକାର ହୋଇଛି । ମୁସଲିମ ମାତା ଓ ଭଉଣୀଙ୍କୁ ସେମାନଙ୍କ ଅଧିକାର ପାଇଁ ତିନି ତଲାକ ବିରୋଧରେ ଆଇନ ହୋଇଛି ।  ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପ୍ରୟାସ ଜାରି ରହିଛି । କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ସମ୍ମାନ ନୀଧୀ ଯୋଜନା ଲାଗୁ ହୋଇଛି । ବ୍ୟବସାୟୀଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରାଯାଇଛି । ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯାଇଛି । ଡାକ୍ତରଙ୍କ ଅଭାବ ପୂରଣ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରାଯିବା ସହ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ନାବାଳକଙ୍କ ସୁରକ୍ଷା ପାଇଁ କଠୋର ଆଇନ ଆସିଛି ।

୨୦୧୪-୧୯ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ବିକାଶ ହୋଇଛି 

ମୋଦୀ କହିଛନ୍ତି ଯେ ୨୦୧୯ରେ ପୁଣି ସେବା କରିବା ପାଇଁ ସୁଯୋଗ ମିଳିଛି । ୨୦୧୪ରୁ ୨୦୧୯ ଯାଏଁ ଦଳିତଙ୍କଠାରୁ ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି । ୨୦୧୯ରୁ ଦେଶବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି । ଭାରତ ଏବେ ଦ୍ରୁତ ଗତିରେ ଆଗକୁ ବଢିବ । ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୧୪ରେ ଦେଶବାସୀଙ୍କ ଭାବନା ବୁଝିବା ପାଇଁ ଚେଷ୍ଟା କରାଯାଇଥିଲା । ଲୋକଙ୍କ ମନରେ ନିରାଶଭାବ ଥିଲା । ଦେଶ ସତରେ ବଦଳି ପାରିବ କି ବୋଲି ସେମାନଙ୍କ ମନରେ ଦ୍ୱନ୍ଦ ଥିଲା । କିନ୍ତୁ ୫ ବର୍ଷର କଠୋର ପରିଶ୍ରମ ପରେ ଦେଶ ଆଗକୁ ବଢିଥିଲା । ଜନତାଙ୍କ ନିରାଶ ଆଶାରେ ବଦଳିଥିଲା । ଯାହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ୧୩୦ କୋଟି ନାଗରିକଙ୍କ ଭାବନା ସରକାରକୁ ନୂଆ ଶକ୍ତି ଓ ବିଶ୍ୱାସ ଦେଇଥିଲା । 

ମୁସଲିମ ମହିଳା, ନାବାଳକଙ୍କ ସୁରକ୍ଷାକୁ ଗୁରୁତ୍ୱ

ଗତ ନିର୍ବାଚନରେ କୌଣସୀ ରାଜନୈତିକ ଦଳ ନିର୍ବାଚନ ଲଢୁନଥିଲେ । ଜନତା ନିର୍ବାଚନ ଲଢୁଥିଲେ । ଏହାକୁ ଭିତି କରି ଆହୁରି ୫ ବର୍ଷ ଚାଲିବାକୁ ହେବ । ସମାଧାନରୁ ସ୍ୱାବଲମ୍ବୀ ଆଡକୁ ଦେଶ ବଢିଥାଏ । ଫଳରେ ସ୍ୱାଭିମାନ ଉଜାଗର ହୋଇଥାଏ । ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଯାହା ସଫଳତାକୁ ଛୁଇଁଥାଏ  । ବିଜେପି ସରକାର ସମସ୍ୟାକୁ ଦୂର କରିବା ପଇଁ କାମ କରିଛନ୍ତି । ମୁସଲିମ ଭଉଣୀଙ୍କ ମୁଣ୍ଡରେ ତିନିତଲାକର ଖଣ୍ଡା ବୁଲୁଥିଲା । ସେମାନେ ଭୟରେ ବଂଚୁଥିଲେ । ବିଶ୍ୱର ଅନେକ ଇସଲାମିକ ଦେଶ ଏହି କୁପ୍ରଥାକୁ ବହୁ ଆଗରୁ ଶେଷ କରିଥିଲେ । କିନ୍ତୁ କୌଣସୀ କାରଣ ବଶତଃ ଆମେ ପଛାଇଥିଲୁ । ବାବା ସାହେବ ଆମ୍ବେଦକରଙ୍କ ଭାବନାକୁ ସତ କରିବା ପାଇଁ ତିନ ତଲାକ ପାଇଁ କଟୋଇ ଆଇନ ବ୍ୟବସ୍ଥା କରାଯାଇଥିଲା । ଯାହାକୁ ରାଜନୈତିକ ତରାଜୁରେ ଓଜନ କରିବା ଅନୁଚିତ ।

୩୭୦ ଉଚ୍ଛେଦ କୁ ବିରୋଧ କରୁଥିବା ଲୋକଙ୍କୁ ଦେଶବାସୀ ପ୍ରଶ୍ନ କରିବେ 

ସେହିପରି ଧାରା ୩୭୦ ଓ ୩୫ଏ ଗତ ୭୦ ବର୍ଷରେ ଯାହା ହଟି ନଥିଲା, ନୂଆ ସରକାର ହେବାର ୧୭ ଦିନରେ ଏହାକୁ ହଟାଗଲା । ଏହି ବ୍ୟବସ୍ଥା ଆତଙ୍କବାଦ, ପରିବାରବାଦକୁ ସୃଷ୍ଟି କରିଥିଲା । ଏପରିକି ଦୁର୍ନୀତି ଓ ଭେଦଭାବ ମଧ୍ୟ ବୃଦ୍ଧି ପାଇଥିଲା । କାଶ୍ମୀର ମହିଳାଙ୍କ ଅଧିକାର ଛିନ୍ନ ହୋଇଥିଲା । ଦେଶର ଜନଜାତି ସମୁହଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ଭାରତ ବିଭାଜନ ହେବା ପରେ ଅନେକ ଲୋକ ଭାରତକୁ ଆସିଲେ । କାଶ୍ମୀରରେ ରହୁଥିବା ସେମାନଙ୍କୁ ନାଗରିକ ଅଧିକାର ମିଳିନଥିଲା । ଜମ୍ମୁ-କାଶ୍ମୀର ଓ ଲାଦାଖ ଭାରତର ବିକାଶ ଯାତ୍ରାରେ ଯୋଗଦାନ ଦେବ । ଏହି ନୂଆ ବ୍ୟବସ୍ଥା ନାଗରିକଙ୍କ ହିତରେ କାମ କରିବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରହିବ । ଧାରା ୩୭୦ ହଟିବାକୁ ଅନେକ ଦଳ ସମର୍ଥନ ଦେଇଥିଲେ କିନ୍ତୁ କିଛି ଲୋକ ଏହାକୁଲ ବିରୋଧ କରିଥିଲେ । ସେମାନଙ୍କୁ ଦେଶ ପ୍ରଶ୍ନ କରିବ । ୭୦ ବର୍ଷ ହେଲା ବହୁମତ ଥିଲେ ମଧ୍ୟ ଏହାକୁ କାହିଁକି ସ୍ଥାୟୀ ରଖାଯାଇ ନଥିଲା ବୋଲି ଜନତା ସେମାନଙ୍କୁ ପ୍ରଶ୍ନ କରିବେ । ସେମାନଙ୍କ ପାଖରେ ସାହାସ ନଥିଲା । ମୋ ପାଇଁ ଦେଶର ଭବିଷ୍ୟତ ସବୁକିଛି । ରାଜନୈତିକ ଭବିଷ୍ୟତ କିଛି ନୁହେଁ । ସର୍ଦାର ବଲ୍ଲଭ ଭାଇ ପଟେଲ ଅନେକ ସଫଳ ପ୍ରୟାସ କରିଥିଲେ । ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ଏବେ ସାରା ଦେଶ କହିବ ଗୋଟିଏ ଦେଶ ଗୋଟିଏ ସମ୍ବିଧାନ । ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ଚରିତାର୍ଥ ହେବ । ଯାହା ଦେଶର ଏକତାକୁ ବଳ ଦେବ । 

ବିଭିନ୍ନ ବ୍ୟବସ୍ଥା ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଛି 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି ପାଇଁ ଗୋଟିଏ ଦେଶ ଗୋଟିଏ ଟିକସ ସ୍ୱପ୍ନ ସତ ହେଲା ।ସେହିପରି ଗୋଟିଏ ଦେଶ ଗୋଟିଏ ଗ୍ରିଡ ମଧ୍ୟ ସତ ହେଲା ।  ଏବେ ଦେଶର ଗୋଟିଏ ସମୟରେ ଗୋଟିଏ ସମୟରେ ନିର୍ବାଚନ ପାଇଁ ପ୍ରୟାସ କରାଯିବ । ଭାରତର ବିକାଶ ପାଇଁ ଗରିବୀରୁ ମୁକ୍ତ ହେବାକୁ ପଡିବ । ଏଥିରେ ସରକାର ସଫଳ ହୋଇଛନ୍ତି । ପୂର୍ବାପେକ୍ଷା ଅନେକ ଗରିବ ସୀମା ରେଖାରୁ ବାହାରକୁ ଆସିଛନ୍ତି । ଗରିବଙ୍କ ସ୍ୱାଭିମାନ ଆତ୍ମବିଶ୍ୱାସକୁ ଆଗକୁ ବଡାଇବା ପାଇଁ ଆମେ ସମସ୍ତେ ମିଶି ପ୍ରୟାସ କରିବା । 

ଜଳ ସଂରକ୍ଷଣକୁ ଗୁରୁତ୍ୱ

ମୋଦୀ କହିଛନ୍ତି ଯେ ୭୦ ବର୍ଷର ସ୍ୱାଧୀନତାରେ ଆଜି ଭାରତରେ ପ୍ରାୟ ଅଧାଘରେ ପିଇବା ପାଣି ଉପଲବ୍ଧ ନାହିଁ । ପାଣି ପାଇଁ କଷ୍ଟ କରିବାକୁ ପଡୁଛି । ଏବେ ଜଳ ଜୀବନ ମିଶନକୁ ନେଇ ଆଗକୁ ବଢିବାକୁ ହେବ । କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାମ କରିବେ । ଆଗାମୀ ଦିନରେ ସାଢେ ୩ଲକ୍ଷ କୋଟିରୁ ଅଧିକ ଟଙ୍କା ଏଥି ନିମନ୍ତେ ଖର୍ଚ୍ଚ ହେବ । ଜଳ ସେଚନ, ସଂରକ୍ଷଣ, ମାଇକ୍ରୋ ଇରିଗେସନ୍ ଆଦି କରିବା ପାଇଁ ପ୍ରୟାସ କରାଯିବ । ପିଲାଙ୍କୁ ସ୍କୁଲ ସ୍ତରରେ ଜଳ ସଂରକ୍ଷଣ ବାବଦରେ ଶିକ୍ଷା ଦିଆଯିବ । ଯାହା ୭୦ ବର୍ଷରେ ହୋଇନଥିଲା ଆଗାମୀ ୫ ବର୍ଷରେ ଏହାକୁ ୪ ଗୁଣା ବୃଦ୍ଧି କରାଯିବ  ।

ଜନସଂଖ୍ୟା ଉପରେ ନିୟନ୍ତ୍ରଣ

ଏବେ ଦେଶରେ ଜନସଂଖ୍ୟା ବିସ୍ଫୋରଣ ହୋଇଛି । ଯାହା ଆଗାମୀ ଦିନରେ ଅସୁବିଧା ସୃଷ୍ଟି କରିବ । କିନ୍ତୁ ସଚେତନ ନାଗରିକମାନେ ଏନେଇ ଚିନ୍ତା କରିବେ । ନିଜ ଶିଶୁଙ୍କ କଥା ଓ ଆବଶ୍ୟକତା ବୁଝିବା ପାଇଁ ସେମାନେ ଚିନ୍ତା କରିବେ । ଯାହା ପାଇଁ ଦେଶ ଓ ସେମାନଙ୍କ ହିତ ହେବ । ଶିଶୁ ଶିକ୍ଷିତ, ସୁସ୍ଥ ଓ କୂଶଳ ହେଲେ ଦେଶର ବିକାଶ ହେବ । 

ଦୁର୍ନୀତିକୁ ରୋକିବା ପାଇଁ ପ୍ରୟାସ

ଦେଶ ଦୁର୍ନୀତି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ଭୋଗିଛି । ଏହି ଚେର ଅତି ଗଭୀରକୁ ଯାଇଛି । ଏହା ଏକ ପୁରୁଣା ରୋଗ । କେବଳ ସରକାରୀ ସ୍ତର ନୁହେଁ ସମସ୍ତ ସ୍ତରରେ ଏହାକୁ ରୋକିବା ପାଇଁ ପ୍ରୟାସ କରାଯିବା ଉଚିତ । ସରକାର ଆସିବା ପରେ ଅନେକ ଦୁର୍ନୀତିଖୋର ଅଫିସରଙ୍କୁ ଛୁଟି କରାଯାଇଛି । ବ୍ୟବସ୍ଥାକୁ ଚଳାଉଥିବା ଲୋକଙ୍କ ବିଚାରରେ ପରିବର୍ତନ ହେବା ଆବଶ୍ୟକ । ଆମକୁ ସ୍ୱପ୍ନକୁ ନେଇ ଆଗକୁ ବଢିବାକୁ ହେବ । ସରକାର ଆମ ସହ ରହିଛନ୍ତି । 

ମୋଦୀ ଆହୁରି କହିଛନ୍ତି ଯେ, ପ୍ରତିଦିନ ନୂଆ ନୂଆ ଆଇନ ହଟାଯାଇଛି । ପ୍ରାୟ ୧୪ରୁ ଅଧିକ ଆଇନକୁ ଉଚ୍ଛେଦ କରାଯାଇଛି । ଯାହା ଜନତାଙ୍କ ହିତକୁ ନଜରରେ ରଖି କରାଯାଇଛି । ସାରା ଦୁନିଆରେ ବିଶ୍ୱାସ ସୃଷ୍ଟି ହୋଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ୩ ଟ୍ରିଲିୟନ ଇକୋନୋମିରେ ପହଁଚିଛି । ଯାହା ଆଗାମୀ ଦିନରେ ୫ ଟ୍ରିଲିୟନରେ ପହଁଚିବ । କଳାଧନ ବିରୋଧରେ ଲଢେଇ ଆରମ୍ଭ ହୋଇଛି । ଜନତା ବନ୍ଦେ ଭାରତ ଏକ୍ସପ୍ରେସ ତାଙ୍କ ଅଂଚଳରେ କେବେ ପହଁଚିବ ବୋଲି ପ୍ରଶ୍ନ କରୁଛନ୍ତି । ଦେଶର ଆବଶ୍ୟକତା ଅନୁସାରେ ଆଧୁନିକ ଇନଫ୍ରାଷ୍ଟକଚର୍ ନିର୍ମାଣ କରାଯାଉଛି । ଏଥି ନିମନ୍ତେ ୧୦୦ ଲକ୍ଷ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଭାରତରେ ସ୍ଥିର ସରକାର ଅଛି । ଅନ୍ୟ ଦେଶ ଭାରତ ସହ ବ୍ୟବସାୟ କରିବାକୁ ଆଗ୍ରହୀ ।  ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି । ଏବେ ତିନି ସେନା ମୁଖ୍ୟ ଭାବେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫଙ୍କୁ ନିଯୁକ୍ତ କରାଯିବ । ଡିଜିଟାଲ ପେମେଂଟକୁ ବୃଦ୍ଧି କରାଯିବ । ସେହିପରି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତିରେ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ କରାଯିବ । କେମିକାଲ ସାର ଆଦିକୁ ବନ୍ଦ କରିବା ପାଇଁ ଅଭିଯାନ ହେବ । ଯାହା ପୃଥିବୀ ମାତାକୁ ରକ୍ଷା କରିବ । ଏଥି ପାଇଁ ବଡ ସ୍ୱପ୍ନ ଦେଖିବାକୁ ହେବ । ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଦେଶର ଜଣେ ନାଗରିକ । ଏସବୁକୁ ସାଥିରେ ନେଇ ନୂଆ ଭାରତ ନିର୍ମାଣ ପାଇଁ ଆଗକୁ ବଢିବାକୁ ହେବ । ଏହାସହ ସେ ଜୟ ହିନ୍ଦ, ଭାରତ ମାତା କି ଜୟ ଓ ବନ୍ଦେ ମାତାର  କହି ନିଜର ଅଭିଭାଷଣ ସମାପ୍ତ କରିଥିଲେ । 

  • Tags: