Home > ରାଷ୍ଟ୍ରୀୟ
ସୁଧୁରୁନି ପାକିସ୍ତାନ, ଶାନ୍ତିର ନିବେଦନ କରିବା ପରେ ପୁଣି କଲା ଅସ୍ତ୍ର ବିରତି ଉଲ୍ଲଂଘନ
Khabar Odisha:national-odisha-pak-requested-india-to-maintain-peace-on-loc-for-diplomat-visit-but-itself-violated-ceasefire-indian-army-sources
ନୂଆଦିଲ୍ଲୀ, ଅକ୍ଟୋବର୨୨(ଖବର ଓଡ଼ିଶା):

  ସୀମାରେ ପାକିସ୍ତାନ ନାପାକ କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ମଙ୍ଗଳବାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି।  ଏହାର ଗୋଟିଏ ଦିନ ପୂର୍ବେ ସୋମବାର ଏହି ପାକିସ୍ତାନ ଏଲଓସିରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲା। ମାତ୍ର ୨୪ ଘଣ୍ଟା ନଯାଉଣୁ ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଆଜି ଏଲଓସିରେ ବାଲାକୋଟ୍ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏହା ପୂର୍ବରୁ ରବିବାର ପାକିସ୍ତାନ ଦ୍ଵାରା ଅସ୍ତ୍ର ବିରତି ଉଲ୍ଲଂଘନରେ ଦୁଇ ଭାରତୀୟ ଯବାନ ଏବଂ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହା ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କୀ ଲଞ୍ଚ ପ୍ୟାଡ ଧ୍ଵଂସ  କରିଥିଲା। ଏହା ବ୍ୟତୀତ ୨୨ ଆତଙ୍କୀ ସହିତ ୧୦ ପାକ୍ ସୈନିକ ଟଳି ପଡ଼ିଥିଲେ। 

ସୂତ୍ରରୁ ହସ୍ତଗତ ସୂଚନା ମୁତାବକ ସୋମବାର ପାକିସ୍ତାନ ନିବେଦନ କରିଥିଲା ଯେ ସୀମାରେ ଶାନ୍ତି କାଏମ ପ୍ରୟାସ କରିବା ଉଚିତ୍। ପାକ୍ ଏହା ମଧ୍ୟ କହିଥିଲା ଯେ ସୋମବାର କିଛି ରାଷ୍ଟ୍ରଦୂତ ଓ ସାମ୍ବାଦିକଙ୍କ ଏଲଓସି ଗସ୍ତ କରିବାର ଅଛି। 

ଭାରତ ପାକିସ୍ତାନର ଏହି ନିବେଦନର ସମ୍ମାନ କରିଥିଲା, ମାତ୍ର ପାକିସ୍ତାନ ତାର ପରିବର୍ତ୍ତୀ ଦିନ ଅର୍ଥାତ ମଙ୍ଗଳବାର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନା କହିଛି ଯେ, ପାକିସ୍ତାନକୁ କେମିତି ଭରସା କରାଯାଇ ପାରିବ, ଯିଏ ନିଜ ନିବେଦନର ପରବର୍ତ୍ତୀ ଦିନ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି। ପାକିସ୍ତାନ ଯେଉଁ ଇଲାକାରେ ଗୁଳି ବର୍ଷଣ କରୁଛି ସେଠି ବିଦ୍ୟାଳୟ ରହିଛି।