Home > ରାଷ୍ଟ୍ରୀୟ
ଦିଲ୍ଲୀ ହାଇକୋର୍ଟର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଚିଦାମ୍ବରମଙ୍କ ଯାଚିକା ଉପରେ ରାୟ ସଂରକ୍ଷିତ
Khabar Odisha:national-odisha-sc-reserves-judgement-on-a-plea-of-congress-leader-p-chidambaram-against-the-order-of-delhi-hc
ନୂଆଦିଲ୍ଲୀ,ଅକ୍ଟୋବର୧୮(ଖବର ଓଡ଼ିଶା):

 ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ  ହାଇକୋର୍ଟର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ  ଜାମିନ ନଦେବା ଆଦେଶକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ତିହାର ଜେଲରେ ବନ୍ଦୀ ଚିଦାମ୍ବରମ ସର୍ବୋଚ୍ଚ ନ୍ୟାୟାଳୟରେ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।

ଅନ୍ୟପଟେ କୋର୍ଟରେ ଶୁଣାଣି ସମୟରେ ସିବିଆଇ ନିଜର ଦଲିଲରେ କହିଛି ଯେ, ଚିଦାମ୍ବରମଙ୍କ ଉପସ୍ଥିତି ହିଁ ସାକ୍ଷୀଙ୍କୁ ପ୍ରଭାବିତ କରିବା ପର୍ଯ୍ୟାପ୍ତ ଅଟେ। ତେଣୁ ମହତ୍ଵପୂର୍ଣ୍ଣ ସାକ୍ଷୀଙ୍କୁ ପଚରାଉଚୁରା ନକରିବା ଯାଏ ତାଙ୍କୁ ଜାମିନ ନଦେବାକୁ ସିବିଆଇ କୋର୍ଟରେ ଯୁକ୍ତି ବାଢିଛି।

ସିବିଆଇ କହିଛି ଯେ, ଆଜି ସ୍ଥିତି ଏମିତି ଯେ ଆର୍ଥିକ ଅପରାଧର ଆରୋପି ଦେଶରୁ ପଳାୟନ କରିବାରେ ସଫଳ ହେଉଛନ୍ତି। ଗୋଟିଏ ରାଷ୍ଟ୍ର ଭାବେ ଆମେ ଏହି ସମସ୍ୟା ଦେଇ ଗତି କରୁଛୁ। ଦୁର୍ନୀତି ମାମଲାର ତଦନ୍ତ ଜାରି ରହିଛି ଓ ସିଙ୍ଗାପୁର ତଥା ମରିସସକୁ ପଠାଯାଇଥିବା ପତ୍ରର ଉତ୍ତରକୁ ଅପେକ୍ଷା କରାଯାଇଛି। 

ଉଲ୍ଲେଖନୀୟ, ଗୋଟିଏ ଦିନ ପୂର୍ବେ ଗୁରୁବାର ଦିଲ୍ଲୀର ଏକ ଅଦାଲତ ପି ଚିଦାମ୍ବରମଙ୍କୁ ଅକ୍ଟୋବର ୨୪ ଯାଏ ଇଡିର  ହେପାଜତକୁ ପଠାଇଛନ୍ତି। ସିବିଆଇ ମାମଲାରେ ମଧ୍ୟ ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାତଜ ମିଆଦ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସହିତ ୧୫ ଜଣଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆ କେସରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ  ପୂର୍ବତନ ମିଡିଆ ଉଦ୍ୟୋଗପତି ପିଟର ମୁଖାର୍ଜୀ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାମ ମଧ୍ୟ ସାମିଲ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ରେ ହେବ।