Home > ରାଷ୍ଟ୍ରୀୟ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ଭୋଟ ଦେଲେ ନିତିନ ଗଡକରୀ ଓ ମୋହନ ଭାଗବତ, ୯ଟା ସୁଦ୍ଧା ୫ପ୍ରତିଶତ ମତଦାନ
Khabar Odisha:political-national-odisha-maharashtra-assembly-elections-2019-voting-live-and-updates
ମୁମ୍ବାଇ, ଅକ୍ଟୋବର ୨୧ (ଖବର ଓଡିଶା) :

ଆଜି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଜାରୀ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପଟେ ବିଜେପି ଓ ଶିବସେନା ସରକାରର ମହାମେଣ୍ଟ ଥିବା ବେଳେ ଅନ୍ୟ ପଟେ କଂଗ୍ରେସ-ଏନସିପିର ମହାମେଣ୍ଟ ନିର୍ବାଚନ ଲଢୁଛନ୍ତି। ତେବେ ଏହି ନିର୍ବାଚନର ସବୁଠାରୁ ଖାସ୍ କଥା ଏହିକି ଯେ, ପ୍ରଥମ ଥର ପାଇଁ ଠାକରେ ପରିବାରରୁ କେହି ନିର୍ବାଚନ ଲଢୁଛନ୍ତି। ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବର୍ଲି ଆସନରୁ ନିର୍ବାଚନ ଲଢୁଛନ୍ତି। ଏହି ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ମତଦାନ କରିବାକୁ ପହଁଚିଛନ୍ତି ଏବଂ କହିଛନ୍ତି କି, ଦେବେନ୍ଦ୍ର ଫଡଣବୀସ ପୁଣି ଥରେ ଶାସନରେ ଆସିବେ ବୋଲି ମୋର ବିଶ୍ଵାସ ରହିଛି। 

ଦେଖିବାକୁ ଗଲେ ମୁମ୍ବାଇରେ ସକାଳ ୯ଟା ସୁଦ୍ଧା ୫ପ୍ରତିଶତ ମତଦାନ ହୋଇଛି।  ତେବେ ମହାରାଷ୍ଟ୍ରର ସମୁଦାୟ ୨୮୮ଟି ଆସନରେ ମତଗ୍ରହଣ ହେଉଛି। ଆଜି ୩,୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ସେମାନଙ୍କ ମଧ୍ୟରୁ ୨୩୫ ଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି। ରାଜ୍ୟରେ ସମୁଦାୟ ୮,୮୯,୩୯,୬୦୦ ଭୋଟର ଭୋଟ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୪,୨୮,୪୩,୬୩୫ ମହିଳା ଭୋଟର ଅଛନ୍ତି। ସମ୍ପୂର୍ଣ୍ଣ ରାଜ୍ୟରେ ୯୬,୬୬୧ଟି ପୋଲିଙ୍ଗ୍ ବୁଥ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓବଂ ରାଜ୍ୟର ସମୁଦାୟ ୩ ଲକ୍ଷ ଯବାନ ନିୟୋଜିତ କରାଯାଇଛି। 

ସୂଚନାଯୋଗ୍ୟ, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି କି, ବିଜେପି ଏବଂ ଶିବସେନାର ମହାମେଣ୍ଟ ୨୨୫ଟି ଆସନରେ ବିଜୟ ଲାଭ କରିବ ଆମର ବିଶ୍ଵାସ ରହିଛି। ବିରୋଧୀ ଦଳ ଲୋକମାନଙ୍କ ନିକଟରୁ ବିଶ୍ଵାସ ହରାଇ ସାରିଛି। ଲୋକମାନେ ମୋଦୀ ଏବଂ ଫଡଣବୀସଙ୍କ ସାଥୀରେ ଅଛନ୍ତି। ସେହି ସମୟରେ ମୁମ୍ବାଇର ଅନ୍ଧେରୀ ପଶ୍ଚିମ ବିଧାନସଭା ଆସନରେ ଅଭିନେତ୍ରୀ ଶୁଭା ଖୋଟେ ଭୋଟ ଦେଇଛନ୍ତି। ନାଗପୁରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ ଭୋଟ ଦେଇଛନ୍ତି। 

ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନରେ ଭୋଟ ଦେବାକୁ ଉତ୍ସାହିତ କରିଛନ୍ତି। ସେ ଲେଖିଛନ୍ତି କି, ଭାରତର ବିଭିନ୍ନ ଅଂଞ୍ଚଳରେ ଉପନିର୍ବାଚନ ହେଉଛି। ତେଣୁ ମତଦାତାଙ୍କୁ ମୁଁ ଅପିଲ କରୁଛି କି, ସେମାନେ ଲୋକତନ୍ତ୍ରର ଏହି ଗଣପର୍ବରେ ସାମିଲ ହୋଇ ବହୁ ସଂଖ୍ୟାରେ ମତଦାନ କରନ୍ତୁ। ଯୁବଗୋଷ୍ଠୀ ବହୁ ସଂଖ୍ୟାରେ ମତଦେବେ ବୋଲି ମୋର ଆଶା ରହିଛି।