Home > ରାଷ୍ଟ୍ରୀୟ
ସରକାର ଗଠନର ନିକଟତର ହେଲେ ଶିବସେନା, ଏନସିପି, କଂଗ୍ରେସ ! ସ୍ଥିର ହେଲା ଏଜେଣ୍ଡା
Khabar Odisha:politics-odisha-maharashtra-government-formation-shivsena-ncp-and-congress-makes-common-minimum-progamme
ମୁମ୍ବାଇ, ନଭେମ୍ବର୧୪(ଖବର ଓଡ଼ିଶା):

 ଗତ ଦିନରୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରୟାସରେ ଜୁଟିଥିବା ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ଶେଷରେ ସହମତି ପ୍ରକାଶ ପାଉଥିବା ସଙ୍କେତ ମିଳୁଛି। ତିନି ପାର୍ଟି ଗୁରୁବାର ସରକାର ଲାଗି ସର୍ବନିମ୍ନ ଭାଗିଦାରୀ କାର୍ଯ୍ୟକ୍ରମ ନେଇ ମୁମ୍ବାଇରେ ବୈଠକ କରିଛନ୍ତି। ଏହି ବୈଠକ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ଥିବା ବିଜୟ ଡ୍ଵେଟ୍ଟିଓ୍ଵାର କହିଛନ୍ତି ଯେ, ବୈଠକରେ ତିନି ପାର୍ଟିର ନେତା ସର୍ବନିମ୍ନ ଭାଗିଦାରୀ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ଡ୍ରାଫ୍ଟକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଶରଦ ପାଓ୍ଵାର ଓ ଉଦ୍ଧବ ଠାକରେଙ୍କ ପାଖକୁ ପଠାଯାଇଛି। ସୋନିଆ ଗାନ୍ଧୀଙ୍କ ମଞ୍ଜୁରୀ ମିଳିବା ମାତ୍ରେ ରାଜ୍ୟରେ ଶିବସେନା ନେତୃତ୍ଵରେ ଏନସିପି ଓ କଂଗ୍ରେସ ସରକାରରେ ସହଯୋଗୀ ରହିବେ।  

ଶିବସେନାର ଏକନାଥ ସିନ୍ଧେ  ତିନି ପାର୍ଟିର ବୈଠକ ପରେ କହିଛନ୍ତି ଯେ, ବୈଠକରେ କମନ ମିନିମମ ପ୍ରୋଗ୍ରାମ  ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ ଚିଠା ପ୍ରସ୍ତୁତ କରାଯାଇଛି। ଏହାକୁ ତିନି ପାର୍ଟିର ମୁଖ୍ୟଙ୍କ ପାଖକୁ ପଠାଯାଇଛି। ଏହା ଉପରେ ତିନି ପାର୍ଟିର ପ୍ରମୁଖ ହିଁ ଅନ୍ତିମ ନିର୍ଣ୍ଣୟ ନେବେ।

ସେ କହିଛନ୍ତି ଯେ, ମହାରାଷ୍ଟ୍ରକୁ ଏକ ସ୍ଥିର ସରକାର ଦେବା ପାଇଁ ଶିବସେନା, ଏନସିପି ଓ କଂଗ୍ରେସ ଏହି ତିନି ଦଳର ରାଜ୍ୟସ୍ତରୀୟ ନେତା ସର୍ବନିମ୍ନ ଭାଗିଦାରୀ କାର୍ଯ୍ୟକ୍ରମ ସ୍ଥିର କରିବାକୁ ପ୍ରଥମ ବୈଠକ କରିଥିଲେ। କଂଗ୍ରେସ ନେତା କହିଛନ୍ତି ଯେ, ତିନି ପାର୍ଟିର ନେତା ଖୋଲା ମନରେ ବୈଠକରେ ଯୋଗ ଦେଇଥିଲେ ଏବଂ ଉତ୍ତମ ବୁଝାମଣା ସହ ଚିଠା ପ୍ରସ୍ତୁତ ହୋଇଛି। 

ଯେ ପର୍ୟ୍ୟ ନ୍ତ ଚିଠା ଉପରେ ତିନି ପାର୍ଟିର ପ୍ରମୁଖଙ୍କ ମଞ୍ଜୁରୀ ନ ମିଳିଛି ସେ ଯାଏ ଚିଠାରେ ସାମିଲ ତଥ୍ୟର ଖୁଲାସା କରାଯିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ବୈଠକରେ ହିନ୍ଦୁତ୍ଵ ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଛି। ଡ୍ରାଫ୍ଟରେ  ତିନି ପାର୍ଟିର ନିର୍ବାଚନୀ ଇସ୍ତାହାରରେ ସାମିଲ ପ୍ରସଙ୍ଗକୁ ନିଆଯାଇଛି। ଏଥିରେ କୃଷକଙ୍କୁ ଋଣ ଛାଡ଼, ବେରୋଜଗାରୀ ଓ ମହଙ୍ଗାର ମୁକାବିଲା ଲାଗି ଉପାୟ, ଛାତ୍ରଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି। 

ବୈଠକରେ ଶିବସେନା ପକ୍ଷରୁ ପାର୍ଟିର ବରିଷ୍ଠ ନେତା ସୁଭାଷ ଦେଶାଇ ଓ ଏକନାଥ ସିନ୍ଧେ, ଏନସିପି ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ବ୍ୟତୀତ ଛଗନ ଭୁଜବଳ ଓ ନଓ୍ଵାବ ମଲିକ, କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନ, ବିଜୟ ଡ୍ଵେଟ୍ଟିଓ୍ଵାର ମାଣିକରାଓ ଦେଶମୁଖ ପ୍ରମୁଖ ସାମିଲ ଥିଲେ।