Home > ରାଷ୍ଟ୍ରୀୟ
ମୁଖତାର ଅଂସାରୀଙ୍କ ପୁଅଙ୍କ ଘର ବନ୍ଧୁକ ଫ୍ୟାକ୍ଟ୍ରି, ୨୫ ଦେଶୀ-ବିଦେଶୀ ବନ୍ଧୁକ ଓ ୪,୩୩୧ଟି କ୍ୟାଟ୍ରିସ୍ ଜବତ
Khabar Odisha:up-police-seizes-weapons-at-delhi-residence-of-abbas-ansari
ଉତ୍ତର ପ୍ରଦେଶ, ଅକ୍ଟୋବର ୧୮ (ଖବର ଓଡ଼ିଶା):

ଉତ୍ତର ପ୍ରଦେଶ ମଉ ବିଧାନସଭା ନିର୍ବାଚନ ମଣ୍ଡଳୀର ବାହୁବଳୀ ବିଧାୟକ ମୁଖତାର ଅଂସାରୀଙ୍କ ପୁଅଙ୍କ ଘର ଅସ୍ତ୍ରଶସ୍ତ୍ରର ଗନ୍ତାଘର ପାଲଟିଛି । ମୁଖତାରଙ୍କ ପୁଅ ଆବ୍‌ବାସ୍‌ଙ୍କ ଦିଲ୍ଲୀସ୍ଥିତ ଘରୁ ୟୁପି ପୋଲିସ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ବନ୍ଧୁକ ଜବତ କରିଛି ।

ଆବ୍‌ବାସ ବିନା ଲାଇସେନ୍ସରେ ବିପୁଳ ପରିମାଣରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିଥିବା ସନ୍ଦେହ ହୋଇଥିଲା । ସ୍ପେଶାଲ ଟାସ୍କ ଫୋର୍ସ ଦୀର୍ଘ ଦିନ ହେବ ତାଙ୍କ ଉପରେ ନଜର ରଖିଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଲକ୍ଷ୍ନୌ ଲାଇସେନ୍ସରେ ଆବ୍‌ବାସ ଦୁଇଟି ବୈରେଲ୍ ବନ୍ଧୁକ କିଣିଛନ୍ତି । କିନ୍ତୁ ପୋଲିସ ଡିଏମ୍‌ଙ୍କ ବିନା ଅନୁମତିରେ ଏହି ଲାଇସେନ୍ସକୁ ଦିଲ୍ଲୀକୁ ଟ୍ରାନ୍ସଫର୍ କରାଯାଇଛି । ଏହା ପରେ ଆହୁରି ୫ଟି ବନ୍ଧୁକ କିଣାଯାଇଛି । ଅକ୍ଟୋବର ୧୨ ତାରିଖ ଦିନ ତାଙ୍କର ନାଁରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ଗୁରୁବାର ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଦିଲ୍ଲୀ ଓ ୟୁପି ପୋଲିସର ମିଳିତ ଟିମ୍ ଅତର୍କିତ ଚଢ଼ାଉ କରିଛନ୍ତି । ଘରୁ ବହୁ ଦେଶୀ ଓ ବିଦେଶୀ ବନ୍ଧୁକ ସହିତ ଓ କାଟ୍ରିସ୍ ଜବତ କରାଯାଇଛି । ଏ ନେଇ ଏସ୍‌ଏସ୍‌ପି କଳାନିଧି ନୈଥାନୀ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଆବ୍‌ବାସ ଘରେ ନ ଥିଲେ ।

ଚଢ଼ାଉରେ ଇଟାଲୀର ଡବଲ୍ ବ୍ୟାରେଲ୍ ବନ୍ଧୁକ, ସ୍ଲୋବାନିୟାର ସିଙ୍ଗଲ ବ୍ୟାରେଲ୍ ବନ୍ଧୁକ, ସାଉଥ କେଟ୍‌ଫିଲର ମ୍ୟାଗନମ୍ ରାଇଫଲ, ଦିଲ୍ଲୀରୁ କିଣାଯାଇଥିବା ଡବଲ୍ ବ୍ୟାରେଲ୍ ବନ୍ଧୁକ, ମେରଠରୁ କିଣାଯାଇଥିବା ୟୁଏସ୍ ବନ୍ଧୁକ, ୭ଟି ବ୍ୟାରେଲ୍‌, ଅଷ୍ଟ୍ରିୟାର ୩ଟି ରାଇଫଲ୍ ଓ ମ୍ୟାଗାଜିନ୍‌, ଗୋଟିଏ ଲୋଡର୍ ଏବଂ ୪,୩୩୧ଟି କ୍ୟାଟ୍ରିସ୍ ଜବତ କରାଯାଇଛି ।

  • Tags: