Home > ଖବର ସମୀକ୍ଷା
ନବଙ୍କୁ ନେଇ ଝାରସୁଗୁଡା ବିଜେଡିରେ ବିଦ୍ରୋହ , ଦଳ ଛାଡିବାକୁ କର୍ମୀଙ୍କ ଧମକ, ପଦ୍ମ ଧରିବେ କିଶୋର !
Khabar Odisha:Naba-Das-Biju-janata-dal-Odisha-BJP
ଝାରସୁଗୁଡା, ୧୯ ଜାନୁଆରୀ (ଖବର ଓଡିଶା)-

 ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିନାହାନ୍ତି ବିଧାୟକ ନବ କିଶୋର ଦାସ  । ତେବେ ନବଙ୍କୁ ନେଇ ଏବେଠାରୁ ଝାରସୁଗୁଡା ବିଜେଡି ଦୁଇଫାଳ  । ନବ ଯଦି ବିଜେଡି ଟିକେଟରେ ନିର୍ବାଚନ ଲଢନ୍ତି ତାହାହେଲେ ଦଳ ଛାଡିବା ପାଇଁ ସିଧାସିଧା ଧମକ ଦେଲେଣୀ ବିଜେଡିର ନେତା ଓ କର୍ମୀ  । ସେପଟେ ଏସବୁ ମଧ୍ୟରେ ଭୁବନେଶ୍ୱରରୁ ଦଳର ହେଭିୱେଟ ନେତାମାନେ ଯାଇ କିଶୋର ମହାନ୍ତିଙ୍କ ମାନଭଞ୍ଜନ ପାଇଁ ବୁଝାସୁଝା ପରେ ମଧ୍ୟ କର୍ମୀଙ୍କ ଚାପ ଆଗରେ ଏବେ ମୁଣ୍ଡ ନୁଆଁଇବାରେ ଲାଗିଛନ୍ତି କିଶୋର  । ଏପରିକି ଖୁବଶୀଘ୍ର ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ନେଇ ବିଜେପିରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ହେଉଛି  ।

ପଦ୍ମ ଧରିବେ ବିଜେଡିରେ ହେଭିୱେଟ କିଶୋର ମହାନ୍ତି  । ତାଙ୍କର ସମର୍ଥକ ମାନେ ଏନେଇ ତାଙ୍କ ଉପରେ ପକାଉଛନ୍ତି ଚାପ  । ଏପରି ଚର୍ଚ୍ଚା ଏବେ ଝାରସୁଗୁଡାରେ ବେଶ ଚର୍ଚ୍ଚାର ବିଷୟ ସାଜିଛି  । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି  । ନବଙ୍କ ଗୋଷ୍ଠି ନିଜର ଶକ୍ତି ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ  । ନବ ଓ କିଶୋର ମିଳିତ ଭାବେ ବୁଲୁଛନ୍ତି  । ହେଲେ କର୍ମୀମାନେ କିନ୍ତୁ ନବଙ୍କୁ ସହଜରେ ଗ୍ରହଣ କରୁନାହାନ୍ତି  । ଯାହାକୁ ନେଇ ଏବେ ଅକଳରେ ପଡିଯାଇଛନ୍ତି ବିଜେଡିର ନେତା କିଶୋର ମହାନ୍ତି  ।

ନବଙ୍କ ବିରୋଧ କରି ରାଜନୀତି କରି ଆସୁଥିବା ସ୍ଥାନୀୟ ନେତାମାନେ ଏବେ ବିରୋଧୀ ନେତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ  । ଭୁବନେଶ୍ୱରରୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ଯାଇ ଦୀର୍ଘସମୟ ଧରି ବୁଝାସୁଝା କରି ଫେରିଥିବା ବେଳେ ତାର ମୂଲ୍ୟ କିଛି ରହିଲା ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି  । ନେତାଙ୍କ ମନକୁ ଜବରଦସ୍ତ ମନାଇଲେ କଣ ହେବ  । ନବଙ୍କୁ ନେଇ ବିଜେଡିର କର୍ମୀମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି  । ଯାହାକୁ ନେଇ ଝାରସୁଗୁଡା ବିଜେଡିରେ ଏକପ୍ରକାର ବିଦ୍ରୋହ ଦେଖାଦେଇଥିବା କଥା ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି  ।