Home > ଖବର ସମୀକ୍ଷା
ଗୁଣ୍ଡାଗିରି ପଡିଲା ମହଙ୍ଗା ! ପସନ୍ଦର ନେତା ଖୋଜୁଛି ମାହାଙ୍ଗା, ଚିନ୍ତାରେ ମନ୍ତ୍ରୀ ପ୍ରତାପ ଜେନା
Khabar Odisha:Odisha-Politics-Pratap-Jena-Prabhakar-Sahu-Biju-janata-dal-Odisha
ମାହାଙ୍ଗା, ୨୮ ଜାନୁଆରୀ (ଖବର ଓଡିଶା)-

କ୍ଷମତାଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏବେ ମାହାଙ୍ଗା ଅଡୁଆ  । ନିଜ ନିର୍ବାଚନମଣ୍ଡଳୀରେ କଡା ବିରୋଧର ସାମ୍ନା କରୁଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଜେନା  । ଆଗକୁ ସାଧାରଣ ନିର୍ବାଚନ ସେପଟେ ନିର୍ବାଚନମଣ୍ଡଳୀରେ ନେତାଙ୍କ ଖୋଲାଖୋଲି ବିରୋଧ  । ଏପରି ସ୍ଥିତିରେ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ଶ୍ରୀ ଜେନା  । ଏପରିକି ଏଥର ସେ ବିଧାନସଭା କ୍ଷେତ୍ରରେ ନଲଢି ଲୋକସଭା କ୍ଷେତ୍ରରେ ଲଢିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି  । ତାଙ୍କର ଏହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ସେ ଜଣେ ଅଣଓଡିଆ ଅଫିସରଙ୍କ ନିକଟରେ ଅଧିଆ ପଡିଥିବା କଥା ଏବେ ବିଜେଡି ମହଲରେ ଆଲୋଚନା ହେଉଛି  । ଏପରିକି ବୈଜୟନ୍ତ ବିଜେଡି ଛାଡିବା ପରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ ଉପରେ ନଜର ରଖିଛନ୍ତି ମନ୍ତ୍ରୀ ଶ୍ରୀ ଜେନା  । ଏଥିପାଇଁ ସେ ଏବେ ତୃତୀୟ ମହଲାର କ୍ଷମତାଶାଳୀ ବାବୁଙ୍କୁ ମନାଇବା ପାଇଁ  ଲାଗିପଡିଥିବା କଥା ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି  ।

ବିଶେଷ କରି ପ୍ରତାପଙ୍କ ଦାଦାଗିରି ଓ ଗୁଣ୍ଡାଗିରି ତାଙ୍କ ପାଇଁ ମହଙ୍ଗା ପଡିବ ବୋଲି ଏବେ ମାହାଙ୍ଗା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି  । ନିକଟରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ଆକ୍ରମଣ ଘଟଣାରେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ ଶ୍ରୀ ଜେନା  । ଏହି ଘଟଣା ପରେ ମାହାଙ୍ଗାରେ ଦିନକୁ ଦିନ ତାଙ୍କର ଲୋକପ୍ରିୟତା କମିବାରେ ଲାଗିଥିବା ଦେଖିବାକୁ ମିଳିଛି  । ଅନ୍ୟପଟେ ସେ ଅଞ୍ଚଳରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ବେଳେ ଅନ୍ୟପଟେ କଂଗ୍ରେସ ମଧ୍ୟ ତାର ସଙ୍ଗଠନ ସଜାଡିବାରେ ଲାଗିଛି । ଏହାକୁ ଦେଖି ମନ୍ତ୍ରୀ ଶ୍ରୀ ଜେନାଙ୍କ ଶିବିରରେ ଏକପ୍ରକାର ଛନକା ଖେଳାଇ ଦେଇଛି  । ସେଥିପାଇଁ ମାହାଙ୍ଗା ଛାଡିବା ପାଇଁ ଶ୍ରୀ ଜେନା ଯୋଜନା କରିଥିବା କଥା ଏବେ ତାଙ୍କର ସମର୍ଥକ ମାନେ କହି ବୁଲୁଥିବା ଶୁଣିବାକୁ ମିଳୁଛି  । ତେବେ ମାହାଙ୍ଗା ଛାଡିଲେ କେନ୍ଦ୍ରାପଡା ଲୋକସଭା ଆସନରେ ଲଢିବେ ନା ଅନ୍ୟ କେଉଁଠିକୁ ଯିବେ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର  ।