Home > ଖବର ସମୀକ୍ଷା
ଭୋଟ୍ ପାଇଁ ଜରୁରୀକାଳୀନ ପାଣ୍ଠିକୁ ଲୁଟ୍ କଲେ ରାଜ୍ୟ ସରକାର, କାଳିଆ ଯୋଜନା ପାଇଁ କାଢି ସାରିଲେଣି ୭୩୪.୬୬ କୋଟି ଟଙ୍କା
Khabar Odisha:Politics-Odisha-BJD-Government-miss-use-the-contingency-fund-for-Kalia-scheme
ଭୁବନେଶ୍ୱର,ଜାନୁଆରୀ ୧୭(ଖବର ଓଡ଼ିଶା):

ନିର୍ବାଚନରେ ଭୋଟ୍ କେମିତି ହାତାଯାଏ ନବୀନ ପଟ୍ଟନାୟକଙ୍କୁ ତାହା ବେଶ୍ ଭଲ ଭାବେ ଜଣା। ପ୍ରତି ବର୍ଷ ନିର୍ବାଚନ ଋତୁ ପାଖେଇ ଆସିଲେ ବିଜେଡ଼ି ସରକାର ଅନେକ ମନଲୋଭା ଯୋଜନା ଘୋଷଣା କରି ଭୋଟରଙ୍କୁ ଆକର୍ଷିତ କରିଥାନ୍ତି। ଏଥର ମଧ୍ୟ ନିର୍ବାଚନୀ ଋତୁରେ ଏହି ଫଣ୍ଡାକୁ ଆପଣେଇବାକୁ ହେଳା କରି ନାହାନ୍ତି ନବୀନ ସରକାର।  ସାଧାରଣ ନିର୍ବାଚନକୁ ଆଉ ମାତ୍ର ତିନି ମାସ ସମୟ ବାକି ରହିଛି। ଏହାକୁ ଦୃଷ୍ଟିରେ ରଖି  ନିକଟରେ ଘୋଷଣା ହୋଇଛି କାଳିଆ ଯୋଜନା। ଏହି ଯୋଜନାରେ କୃଷକଙ୍କୁ ୧୦ ହଜାର ଟଙ୍କା ଏବଂ ଭୂମିହୀନ କୃଷକଙ୍କୁ ୧୨,୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ଯୋଜନା ପାଇଁ କୌଣସି ବଜେଟର ପ୍ରାବଧାନ କରାଯାଇ ନାହିଁ। ତେବେ ଏଠାରେ ସ୍ଵତପ୍ରବୃତଃ ଭାବେ ପ୍ରଶ୍ନ ଉଠୁଛି ଯେ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ହଜାର ହଜାର କୋଟି ଟଙ୍କା ଆସିବ କେଉଁଠୁ। କାରଣ ସରକାର ତ ଏହି ଯୋଜନା ପାଇଁ ବ୍ୟୟ ଅଟକଳ କରି ନାହାନ୍ତି। କିନ୍ତୁ କେବଳ ଭୋଟ୍ ପାଇବା ଲୋଭରେ ସରକାର ବଡ଼ ଚାଲାକି କରି ଜରୁରୀକାଳୀନ ପାଣ୍ଠିକୁ କାଳିଆ ଯୋଜନା ପାଇଁ ଦୁରୁପଯୋଗ  କରିଛନ୍ତି। ଏହି ଫଣ୍ଡରୁ ହଜାର ହଜାର କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି ସରକାର। ଏ ନେଇ ଇଂରାଜୀ ଜାତୀୟ ଗଣମାଧ୍ୟମ  ଟାଇମ୍ସ ନାଓରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଗତକାଲି ମଧ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

୧୫ରେ ରାଜ୍ୟ ସରକାର ଜରୁରୀକାଳୀନ ଫଣ୍ଡରୁ ଉଠାଇଲେ ୭୩୪.୬୬ କୋଟି ଟଙ୍କା 

ରାଜ୍ୟ ସରକାର କାଳିଆ ଯୋଜନାରେ ଜରୁରୀକାଳୀନ ପାଣ୍ଠିର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି। ଏହି ବ୍ୟୟବହୁଳ  ଯୋଜନା ପାଇଁ ସରକାର ୧୦,୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ଏହି ମୋଟା ଅଙ୍କର ଅର୍ଥ ଜରୁରୀକାଳୀନ ପାଣ୍ଠିରୁ ଉଠାଯାଉଛି। ଏଠାରେ କହି ରଖୁଛୁ ଯେ ଜରୁରୀକାଳୀନ ପାଣ୍ଠି ହେଉଛି ସେହି ପାଣ୍ଠି, ଯେଉଁଥିରେ ଥିବା ଅର୍ଥକୁ  ବନ୍ୟା, ବାତ୍ୟା, ସୁନାମୀ, ଭଳି ପ୍ରାକୃତିକ ବିପର୍ଯ୍ୟୟରେ ସମୟରେ ବ୍ୟବହାର କରାଯାଏ। ମାତ୍ର ଦୁର୍ଭାଗ୍ୟର କଥା ଏହା ଯେ ରାଜ୍ୟ ସରକାର କେବଳ ଭୋଟ୍ ପାଇଁ ଜରୁରୀକାଳୀନ ପାଣ୍ଠିରେ ଥିବା ଅର୍ଥକୁ ଲୁଟ୍ କରି ଚାଲିଛନ୍ତି। ଏ ପର୍ଯ୍ୟନ୍ତ ଏହି ପାଣ୍ଠିରୁ ରାଜ୍ୟ ସରକାର ୭୩୪, ୬୬,୦୦,୦୦୦ ଟଙ୍କା ଚଳୁ କରି ସାରିଲେଣି। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କୌଣସି ବଡ଼ ବିପତ୍ତି ଦେଖାଯାଏ ତେବେ ରାଜ୍ୟ ସରକାର ଏହାର ମୁକାବିଲା ତଥା ଥଇଥାନ ପାଇଁ ଅର୍ଥ କୁଆଡୁ ଆଣିବେ। କେବଳ ନିର୍ବାଚନ ପାଖେଇ  ଆସିଲା ବୋଲି ଜରୁରୀକାଳୀନ ପାଣ୍ଠିର ଅର୍ଥକୁ ପାଣି ଭଳି ବୁହାଇବା କେତେ ସମୀଚନ। 

ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ କଥା ଏହା ଯେ,  ରାଜ୍ୟ ଉପରେ ବର୍ତ୍ତମାନ ଯାଏ ୯୧,୯୪, ୩୦, ୦୦୦ ଟଙ୍କା ଋଣ ବୋଝଭାର ରହିଛି। ଏହା ସତ୍ଵେ ବି ରାଜ୍ୟ ସରକାର ବେଫିକର ଜରୁରୀକାଳୀନ ପାଣ୍ଠିକୁକ ଚାନ୍ଦା ଭାବେ ବ୍ୟବହାର କରିଛନ୍ତି।  କାଳିଆ ଯୋଜନାରେ ରାଜ୍ୟ ସରକାର ୧୦,୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଆମ ନୁହେଁ ଏହା ଖୋଦ୍ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ କହୁଛି।  ୨୦୧୯  ଜାନୁଆରୀ ୧୫ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ କାଳିଆ ପାଇଁ ଏହି ଅର୍ଥକୁ ମଞ୍ଜୁରୀ ଦେଇଛନ୍ତି। ଏହା ସହିତ ସେହି ଦିନ ଅର୍ଥାତ ଜାନୁଆରୀ ୧୫ରେ ରାଜ୍ୟ ସରକାର ଜରୁରୀକାଳୀନ ଫଣ୍ଡରୁ ୭୩୪.୬୬ କୋଟି ଟଙ୍କା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ଯେ ଯେଉଁ ଅର୍ଥ ରାଶିକୁ ରାଜ୍ୟର ଜରୁରୀକାଳୀନ କିମ୍ବା ପ୍ରାକୃତିକ ବିପର୍ୟ୍ୟ ୟ ସମୟରେ ବ୍ୟବହାର କରାଯିବ କଥା ସେହି ଅର୍ଥକୁ ରାଜ୍ୟ ସରକାର କେବଳ କ୍ଷମତା ପାଇଁ ଭୋଟ୍ ପାଇବା ଲୋଭରେ ବ୍ୟବହାର  କରୁଛନ୍ତି। ଭୋଟ୍ ପାଇଁ ସରକାର ଜରୁରୀକାଳୀନ ଫଣ୍ଡକୁ ଲୁଟ୍ କରି ଚାଲିଛନ୍ତି। 

ବିରୋଧୀ ଏହାକୁ ସରକାରଙ୍କ ରାଜନୈତିକ ଚାଲ୍ ବୋଲି କହୁଛନ୍ତି। ଏହି କ୍ରମରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ  ନିରଞ୍ଜନ ପଟ୍ଟନାୟକ କାଳିଆ ଯୋଜନାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।  ଏହି ଯୋଜନା ଲାଗି ଆପାତକାଳୀନ ପାଣ୍ଠିରୁ ଟଙ୍କା ସ୍ଥାନାନ୍ତର କରାଯାଇଥିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ନିରଞ୍ଜନ କାଳିଆ ଯୋଜନା  ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହି ଯୋଜନା ଲାଗି  ଅନ୍ୟ ପାଣ୍ଠିରୁ ଟଙ୍କା ସ୍ଥାନାନ୍ତର କରାଯାଇଛି। କାଳିଆ ପାଇଁ ବିଜେଡି ଆପାତକାଳୀନ ପାଣ୍ଠିରୁ ୭୩୫ କୋଟି ଟଙ୍କା ସ୍ଥାନାନ୍ତର କରିଛି। ରାଜ୍ୟରେ ଏଭଳି କଣ  ଜରୁରୀ ପରିସ୍ଥିତି ସୃଷ୍ଟି ହେଲା ଯେ ନିର୍ବାଚନର ତିନି ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ପାଣ୍ଠିରୁ ଟଙ୍କା  ଉଠାଇବାକୁ ପଡ଼ିଲା।  ଚାଷୀଙ୍କ ପାଇଁ ଜାତୀୟ ବିପତ୍ତି ସୃଷ୍ଟି ହୋଇଥିବା ସେମାନେ ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

ନିରଞ୍ଜନ କହିଛନ୍ତି ଯେ ଭୋଟ୍ ହାତେଇବା ପାଇଁ ସରକାରଙ୍କୁ ଏବେ ଚାଷୀଙ୍କ କଥା ମନେ ପଡ଼ିଛି। ତରବରିଆ ଭାବେ କାଳିଆ ଯୋଜନା ଲାଗୁ କରିଛନ୍ତି। ଏଥିପାଇଁ କୌଣସି ବଜେଟ୍ ମଧ୍ୟ କରିନାହାନ୍ତି। ତେଣୁ ଆପାତକାଳୀନ ପାଣ୍ଠିରୁ ଟଙ୍କା ସ୍ଥାନାନ୍ତର କରାଯାଉଛି।

ସୌଜନ୍ୟ- ଟାଇମ୍ସ ନାଓ