Home > ଖବର ସମୀକ୍ଷା
ଇଲେକସନ ପାଇଁ ପାଣ୍ଠି ସଂଗ୍ରହରେ ମାତିଲା ବିଜେଡି ! ମିଲର ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା, ହତାଶ ହେଲେ ରାଜ୍ୟର ଚାଷୀ
Khabar Odisha:farmer-issue--Biju-janata-dal-General-Election
ଭୁବନେଶ୍ୱର, ୦୯ ଜାନୁଆରୀ (ଖବର ଓଡିଶା)-

ଆଗକୁ ନିର୍ବାଚନ  । ପାଣ୍ଠି ସଂଗ୍ରହରେ ମାତିଲେ ବିଜେଡି ନେତା  । ମିଲର ମାନଙ୍କ ସହ ମଧୁଚନ୍ଦ୍ରିକା କରି ମଧ୍ୟସ୍ଥି ମାଧ୍ୟମରେ ଚାଷୀଙ୍କୁ ଲୁଟ କଲା ରାଜ୍ୟ ଶାସନ କ୍ଷମତା ଥିବା ବିଜୁ ଜନତା ଦଳ  । ଏପରି ସାଙ୍ଗାତିକ ଅଭିଯୋଗ ଆଣି ସରକାରଙ୍କୁ ଘେରିଛି ବିରୋଧୀ ବିଜେପି  । ଏପରିକି ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ଚାଷୀଙ୍କୁ ଧୋକ୍କା ଦେଇଛି ବୋଲି ଦଳ ସିଧାସଳଖ ଅଭିଯୋଗ କରିଛି । 

କେନ୍ଦ୍ର ସରକାର ଧାନର କୁଇଣ୍ଚାଲ ପ୍ରତି ମୂଲ୍ୟ ୧୭୫୦ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟରେ ଚାଷୀମାନେ ୧୦୦୦ ଟଙ୍କାରେ ଧାନ ବିକୁଛନ୍ତି  । ରାଜ୍ୟରେ ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲିନାହିଁ  । ମିଲର ମାନଙ୍କୁ ସୁଆଇବା ଭଳି କାମ ରାଜ୍ୟ ସରକାର କରୁଛନ୍ତି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି  । ରାଜ୍ୟରେ ମଣ୍ଡି ଖୋଲିବା, କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରେ ଧାନ କିଣିବା, ସୁଧ ମୁକ୍ତ ଋଣ ଚାଷୀମାନଙ୍କୁ ଯୋଗାଇଦେବା, ରୃଷି ଋଣ ଛାଡ କରିବା, ଜମିକୁ ଜଳସେଚନ ଯୋଗାଇଦେବା କୁ ବିଜେପି କିଷାନ ମୋର୍ଚ୍ଚା ଦାବି କରିଛି  ।

କୃଷକ ମୋର୍ଚ୍ଚା କହିଛି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ମାତ୍ର ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ ତ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଚାଷୀ ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛି ।

କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ଯାଉନାହିଁ । ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ । ହେଲେ ଏବେ ସୁଦ୍ଧା ଏହି ବୋନସ ରାଜ୍ୟସରକାର ଦେଇ ନାହାଁନ୍ତି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ  ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା  କମ୍ ଦରରେ ଧାନ  କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ  ଅଧିକ ଦରରେ ବିକ୍ରି କରାଯାଉଛି ।

ଏପରି ପରିସ୍ଥିତିରେ ରାଜ୍ୟ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ କୃଷି ଋଣ ଛାଡ, ବ୍ୟାପକ ସଂଖ୍ୟାରେ ମଣ୍ଡି ଖୋଲାଯିବା, ଧାନ ମଣ୍ଡିରେ ପ୍ରତି କ୍ୱିଂଟାଲ ପିଛା ୧୭୫୦ ଟଙ୍କା ପ୍ରଦାନ, ପ୍ରତି କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ଦିଆଯିବା ଦରକାର ବୋଲି ଦଳ ପକ୍ଷରୁ ଦାବି କରାଯାଇଛି  ।