Home > ରାଜନୀତି
ଫାଟ ଭୟରେ ବିଧାୟକଙ୍କୁ ହୋଟେଲରେ ରଖିଲା ଶିବସେନା, ରାଜ୍ୟପାଳଙ୍କୁ ଭେଟିଲା ବିଜେପି
Khabar Odisha:National-news-Shivsena-Mlas-Meets-Uddhav-Thackeray-Backs-Demand-Of-Cm-Post-And-50-50-Formula
ମୁମ୍ୱାଇ,ନଭେମ୍ବର୦୭(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଥିବା ସମୟ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ରାଜନୈତିକ ହଇଚଇ ତୀବ୍ର ହେବାରେ ଲାଗିଛି । ଗୋଟିଏ ପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମିଟିଂ ପରେ ଦଳର ବିଧାୟକଙ୍କୁ ହୋଟଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟପଟେ ବିଜେପି ନେତାମାନେ ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟରେ ସରକାର ଗଠନ କରିବାକୁ ନେଇ ଆସନ୍ତା କିଛି ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଏହାରି ମଧ୍ୟରେ ଠାକରେ ପରିବାର ସ୍ଥାନୀୟ ନିବାସ ସ୍ଥାନ ମାତୋଶ୍ରୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ମିଟିଂ ପରେ ଶିବସେନାର ସମସ୍ତ ବିଧାୟକଙ୍କୁ ରଙ୍ଗ ଶାରଦା ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ଦଳର କହିବା ଅନୁସାରେ ତାଙ୍କ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଇପାରେ । ପାର୍ଟି ନିଜର ଆଶଂକା ଦଳର ମୁଖପତ୍ର ସାମନାରେ ମଧ୍ୟ ଦର୍ଶାଇ ସାରିଛି ।

ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ପୁଣି ଥରେ ମେଣ୍ଟ ସରକାର ହେବା କଥା ଦୋହରାଇଥିଲେ । ସେ କହିଥିଲେ, ଏହି ନିର୍ବାଚନରେ ମହାରାଷ୍ଟ୍ରର ଜନତା ଗତ ପାଞ୍ଚ ବର୍ଷ ସରକାର ଚଲାଇଥିବା ବିଜେପି-ଶିବସେନା ମେଣ୍ଟ ସରକାରକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ସେହି ଜନାଦେଶ ଆଧାରରେ ଏବେ ସରକାର ହେବା ଦରକାର, ଏହା ହିଁ ସମସ୍ତ ନାଗରିକଙ୍କ ଇଚ୍ଛା । 

ଏହରି ମଧ୍ୟରେ ବିଧାୟକଙ୍କୁ ନେଇ ଶିବସେନା କେତେ ସଚେତ ଅଛି, ଏହାର ସଂକେତ ଉଦ୍ଧବ ଠାକରେଙ୍କ ମିଟିଂରେ ମିଳିଛି । ଶିବସେନାର ବିଧାୟକଙ୍କୁ ଫୋନ ସ୍ୱିଚ ଅଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନଙ୍କ ମୋବାଇଲକୁ ମିଟିଂ ହଲ ବାହାରେ ଜମା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଶିବସେନା ମିଟିଂରେ ସମସ୍ତ ବିଧାୟକ 50-50 ଫର୍ମୁଲା ନୀତି ଉପରେ ସ୍ପଷ୍ଚ ରହିବା କଥା କହିଥିଲେ । ସବୁ ବିଧାୟକ ଦଳର ମୁଖ୍ୟମନ୍ତ୍ରୀ ପଦକୁନେଇ ଜାରି ରହିଥିବା ଦାବୀକୁ ଦୃଢତାର ସହ ସମର୍ଥନ କରିଥିଲେ ।