Home > ରାଜନୀତି
ସାଭରକର, ଏନଆରସି, ବ୍ୟାଙ୍କିଙ୍ଗ...କଂଗ୍ରେସର ସାମ୍ୱାଦିକ ସମ୍ମିଳନୀରେ ମନମୋହନ ସିଂହଙ୍କ ସେଲ୍ଫ ଗୋଲ
Khabar Odisha:National-news-manmohan-singh-veer-savarkar-indira-gandhi-postal-stamp-maharashtra-election-bjp-sankalp-patra
ନୂଆଦିଲ୍ଲୀ,ଅକ୍ଟୋବର ୧୭ (ଖବର ଓଡିଶା) :

ମହାରାଷ୍ଟ୍ର ବିଜେପିର ସଂକଳ୍ପ ପତ୍ରରେ ବୀର ସାଭରକରଙ୍କୁ ଭାରତ ରତ୍ନ ଦେବା ନେଇ ଘୋଷଣା କରାଯିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ବିଜେପିର ସଂକଳ୍ପ ପତ୍ରରେ ଏହି ପ୍ରତିଶ୍ରୁତି ସାମିଲ ହେବା ପରେ କଂଗ୍ରେସ ଅବିଳମ୍ୱେ ଏହାର ବିରୋଧ କରିଥିଲା, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମନେ ପକାଇଛନ୍ତି ଯେ କଂଗ୍ରେସର ସରକାର ପୂର୍ବରୁ ସାଭରକରଙ୍କ ନାଁରେ ପୋଷ୍ଟାଲ ଷ୍ଟାମ୍ପ ଜାରି କରିସାରିଛି । ଏହାଛଡା ମନମୋହନ ସିଂହ ଏନଆରସିର ସମର୍ଥନ କରି ଏଥିରେ ଥିବା ତ୍ରୁଟିକୁ ଗଣାଇଛନ୍ତି । ସେହିପରି ବ୍ୟାଙ୍କିଙ୍ଗ ସିଷ୍ଟମରେ ନିଜ ସରକାରଙ୍କ ଭୁଲ ସ୍ୱିକାର କରିବା ସହ ବର୍ତ୍ତମାନର ସରକାରକୁ ଜବାବ ମାଗିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ସାଭରକରଙ୍କୁ ଭାରତ ରତ୍ନ ଦେବା ଦାବି ଉପରେ ନିଜର ମତ ରଖିଥିଲେ । ମନମୋହନ ସିଂହ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବୀର ସାଭରକରଙ୍କ ପାଇଁ ପୋଷ୍ଟାଲ ଷ୍ଟାମ(ଡାକ ଟିକଟ) ଜାରି କରିଥିଲେ । ଏହାପରେ ମନମୋହନ ସିଂହ ଏହା ମଧ୍ୟ କହିଥିଲେ ଯେ ଆମେ ହିନ୍ଦୁତ୍ୱର ସେହି ବିଚାରଧାରାକୁ ସମର୍ଥନ କରୁନାହୁଁ, ଯେଉଁଥିରେ ପକ୍ଷଧାର ବୀର ସାଭରକର ଥିଲେ । 

ମନମୋହନ ସିଂହଙ୍କ ଏହି ବୟାନ ଆଶ୍ଚର୍ଯ୍ୟ ଜନକ, କାରଣ ଅକ୍ଟୋବର 15 ତାରିଖରେ ମୁମ୍ୱାଇରେ ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରରେ ବୀର ସାଭରକରଙ୍କୁ ଭାରତ ରତ୍ନ ଦେବା ନେଇ ଘୋଷଣା କରିବା ପରେ କଂଗ୍ରେସ ଏହାର ବିରୋଧ କରିବାରେ କୌଣସି ସମୟ ଅତିବାହିତ କରି ନଥିଲା, କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ବୀର ସାଭରକରଙ୍କୁ ଅପରାଧିକ ମୁକଦମାର ସାମ୍ନା କରିବାକୁ ପଡିଥିଲା  । ଏହାସହ ମନୀଷ ତିୱାରୀ ଏହା ମଧ୍ୟ ଦାବି କରିଥିଲେ ଯେ କପୁର ଆୟୋଗ ମଧ୍ୟ ତଦନ୍ତ କରିଥିଲା ଏବଂ ନିକଟରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ ଆୟୋଗ ସାଭରକରଙ୍କୁ ଦୋଷୀ ମାନିଥିଲେ । ଏବେ ଏହି ଦେଶକୁ ଭଗବାନ ହିଁ ରକ୍ଷା କରିବେ । 

ଅର୍ଥାତ ସାଭରକରକୁ ଭାରତ ରତ୍ନ ସମ୍ମାନ ଦେବା ଦାବି ଉପରେ ଗୋଟିଏ ପଟେ କଂଗ୍ରେସ ଦେଶକୁ ଭଗବାନ ରକ୍ଷା କରିବେ ପରି ବୟାନ ଦେଉଥିବା ବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ସାଂସଦ ତଥା ପୂର୍ବତନ ପିଏମ ମନମୋହନ ସିଂହ ଏହି ଦାବି କରୁଛନ୍ତି ଯେ ଇନ୍ଦିରା ଗାନ୍ଧୀ ସାଭରକରଙ୍କ ପାଇଁ ପୋଷ୍ଟାଲ ଷ୍ଟାମ୍ପ ଜାରି କରିଥିଲେ । 

ଶିବସେନାର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଏହି ବୟାନବାଜୀ ମଧ୍ୟରେ ଏକ ଟ୍ୱିଟ ଜାରି କରିଛନ୍ତି । ଏହି ଟ୍ୱିଟରେ ପ୍ରିୟାଙ୍କା ଏକ ଚିଠି ଜାରି କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଟେ । 1980 ମସିହା ମଇ 20 ତାରିଖ ଲେଖାଯାଇଥିବା ଏହି ଚିଠିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହସ୍ତାକ୍ଷର ରହିଛି । ଚିଠିରେ ବୀର ସାଭରକରଙ୍କ ପ୍ରଶଂସା କରାଯାଇଛି । 

ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ କଂଗ୍ରେସ ଉପରେ ଲଗାଯାଇଥିବା ଅଭିଯୋଗ ଉପରେ ମନମୋହନ ସିଂହ କହିଛନ୍ତି କଂଗ୍ରେସ ଅମଲରେ ଯାହା ହେଲା ତାହା ହେଲା, କିନ୍ତୁ ବର୍ତ୍ତମାନର ସରକାରକୁ ଆମର ଦୁର୍ବଳତାରୁ ଶିକ୍ଷାଲାଭ କରି ଅର୍ଥବ୍ୟବସ୍ଥାର ସମସ୍ୟାର ସମାଧାନ କରିବା ଦରକାର । ଅର୍ଥାତ ମନମୋହନ ସିଂହ ନିଜ ସରକାରଙ୍କ ଭୁଲକୁ ସ୍ୱିକାର କରି ମୋଦୀ ସରକାରକୁ ଜବାବ ମାଗିଛନ୍ତି ।