Home > ରାଜନୀତି
ଶରଦ ପାୱାରଙ୍କ ବଡ ବୟାନ-“ଆମେ ବିରୋଧୀ ଦଳ, ବିଜେପି ଏବଂ ଶିବସେନା ମିଶି ସରକାର କରନ୍ତୁ”
Khabar Odisha:National-politics-Sharad-Pawar-Put-Speculation-In-Rest-Says-Bjp-And-Shiv-Sena-Must-Form-Government
ମୁମ୍ୱାଇ,ନଭେମ୍ବର ୦୬ (ଖବର ଓଡିଶା):

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଥିବା ସଙ୍କଟ ମଧ୍ୟରେ ସମସ୍ତଙ୍କ ନଜର ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ରହିଥିଲା । କ’ଣ କଂଗ୍ରେସ ସମର୍ଥନରେ ଶିବସେନା ସହ ସରକାର ଗଢିବା ପରେ କୌଣସି ଗୁପ୍ତ ବୁଝାମଣା ଚାଲିଛି କି ? ବିଜେପିକୁ ନାଲି ଆଖି ଦେଖାଉଥିବା ଶିବସେନା ପଛରେ ଏନସିପିର ହାତ ରହିଛି କି ? ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ସପ୍ତାହ ମଧ୍ୟ ଦୁଇ ଥର ଶରଦ ପାୱାରଙ୍କୁ ଭେଟିବା ପଛରେ କଣ କାରଣ ରହିଛି ?  ବୁଧବାର ଦିନ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଏହି ସବୁ ପ୍ରଶ୍ନ ଉପରେ ସେ ଆହୁରି ଅନିଶ୍ଚିତା ସୃଷ୍ଟି କରିଥିଲେ । ମହାରାଷ୍ଟ୍ର ରାଜନୀତିର ଜଣେ ପୋଖତ ଖେଳାଳି ପାୱାର କହିଛନ୍ତି, ଜନତା ତାଙ୍କୁ ବିରୋଧୀ ଦଳ ଆସନରେ ବସିବାକୁ ଜନାଦେଶ ଦେଇଛି  ଏବଂ ସେ ଆଶା ରହିଛନ୍ତି ଯେ ଶିବସେନା ଏବଂ ବିଜେପି ଶେଷରେ ଏକ ହୋଇ ସରକାର କରିବେ । କିନ୍ତୁ ଏଥିରେ ଆଉ ଏକ କଥା ଯୋଡି କହିଛନ୍ତି ଯେ ସରକାର ଗଠନ କରିବା ପାଇଁ ଥିବା ଶେଷ ଦୁଇ ଦିନରେ କ’ଣ ହେବ, ତାହା କେହି ଜାଣିନାହାନ୍ତି । 

ଏହା ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ । ପାୱାରଙ୍କୁ ଭେଟିବା ପରେ ରାଉତ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ରାଜ୍ୟ ଏବଂ ଦେଶର ଜଣେ ବରିଷ୍ଠ ନେତା । ମହାରାଷ୍ଟ୍ର ରାଜନୀତିର ସ୍ଥିତିକୁ ନେଇ ସେ ଚିନ୍ତିତ ଅଛନ୍ତି । 

ରାଉତଙ୍କୁ ଭେଟିବା ଉପରେ ପାୱାର ପ୍ରତିକ୍ରିୟା ଦେଇ କହିଛନ୍ତି, ଆମକୁ ସରକାର ଗଠନ କରିବା ନେଇ କୌଣସି ପ୍ରସ୍ତାବ ମିଳି ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉନି । ଶିବସେନା ସହ ମିଶି ସରକାର ଗଢିବା କଥା କେଉଁଠୁ ଆସୁଛି ? ବିଜେପି ଏବଂ ଶିବସେନାର 25 ବର୍ଷର ପୁରୁଣା ମେଣ୍ଟ ଏବଂ ତାଙ୍କୁ ହିଁ ସରକାର ଗଢିବା ଦରକାର । ମହାରାଷ୍ଟ୍ରର ଜନତା ଆମକୁ ଯେଉଁ ଜନାଦେଶ ଦେଇଛି ସେହି ଆଧାରରେ କଂଗ୍ରେସ ଏବଂ ଏନସିପି ବିରୋଧୀଦଳ ଆସନରେ ବସିବ । ସରକାର ଗଢିବା ପାଇଁ ଯେଉଁ ସବୁ ଗତିରୋଧ ରହିଛି ତାକୁ ଦୂର କରିବା ଦରକାର ଏବଂ ସେନା-ବିଜେପିକୁ ସରକାର କରିବା ଦରକାର । 

ଏହାରି ମଧ୍ୟରେ ଏପରି ଖବର ମଧ୍ୟ ଆସୁଛି ଯେ, ସରକାର ଗଢିବା ପାଇଁ ଶିବସେନା ଏବଂ ବିଜେପି ମଧ୍ୟରେ ମୁମ୍ୱାଇରେ କଥାବର୍ତ୍ତା ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ଶେଷ ତାରିଖ ହେଉଛି 8 ନଭେମ୍ୱର । ଏହା ପୂର୍ବରୁ ଏନସିପି ନେତା ରାଜନୈତିକ ସମର୍ଥନକୁ ନେଇ ଚାଲିଥିବା ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ।