Home > ରାଜନୀତି
ହରିୟାଣା: ନିର୍ବାଚନ ପୂର୍ବରୁ ଭାଙ୍ଗିଲା ବିଏସପି ଓ ଜେଜେପି ମଧ୍ୟରେ ମେଣ୍ଟ
Khabar Odisha:Political-BSP-–JJP-part-alliance-end-in-Haryana-before-assembly-election-Dushyant-describe-the-reason

ଚଣ୍ଡୀଗଡ଼, ସେପ୍ଟେମ୍ବର ୦୮ (ଖବର ଓଡ଼ିଶା): ହରିୟାଣାରେ ବିଧାନସଭା ନିର୍ବାଚନ ଆଗାମୀ ଅକ୍ଟୋବରରେ ହେବ । ପାଖାପାଖି ଏକ ମାସ ପୂର୍ବରୁ ବହୁଜନ ସମାଜ ପାର୍ଟି ଓ ଦୁଷ୍ୟନ୍ତ ଚୌତାଲାଙ୍କ ପାର୍ଟି ‘ଜନନାୟକ ଜନତା ପାର୍ଟି’ ମେଣ୍ଟ କରିଥିଲେ । ମାତ୍ର ଏହି ମେଣ୍ଟ ନିର୍ବାଚନ ପୂର୍ବରୁ ଭାଙ୍ଗିଯାଇଛି । ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଶୁକ୍ରବାର ଜେଜେପି ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ପାର୍ଟି ଆଗାମୀ ଦିନରେ ହରିୟାଣା ନିର୍ବାଚନରେ ଏକାକୀ ଲଢ଼ିବ । ଏହି ମାମଲା ନେଇ ଦୁଷ୍ୟନ୍ତ ନିଜର ପକ୍ଷ ରଖିଛନ୍ତି ।

ଦୁଷ୍ୟନ୍ତ କହିଛନ୍ତି, ଆମେ ବହୁଜନ ସମାଜ ପାର୍ଟିକୁ ୪୦ ସିଟରେ ନିର୍ବାଚନ ଲଢ଼ିବାକୁ ଅଫର ଦେଇଥିଲୁ କିନ୍ତୁ ପାର୍ଟି ମନା କରି ଦେଇଥିଲା । କାରଣ ବିଏସପି ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ମନ ବଳାଇଥିଲା । ଚୌତାଲା କହିଛନ୍ତି, ତାଙ୍କ ପାର୍ଟି ଏକାକୀ ୯୦ ଆସନରେ ନିର୍ବାଚନ ଲଢ଼ିବ । ନିଜର ଟୁଇଟର ଆକାଉଣ୍ଟରେ ଚୌତାଲା କହିଛନ୍ତି, ଆମେ ଡରିବୁ ନାହିଁ କି ମୁଣ୍ଡ ନୁଆଁଇବୁ ନାହିଁ । ଆମେ ଆଗାମୀ ନିର୍ବାଚନରେ ନିଜସ୍ୱ ବଳରେ ଢ଼ିବୁ ।

ଏହା ପୂର୍ବରୁ ବିଏସପି ମୁଖ୍ୟ ମାୟାବତୀ ଶୁକ୍ରବାର କହିଥିଲେ, ବହୁଜନ ସମାଜ ପାର୍ଟି ଏକ ଜାତୀୟ ଦଳ । ଏହି ଆଧାରରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦୁଷ୍ୟନ୍ତ ଚୌତାଲାଙ୍କ ପାର୍ଟି ସହିତ ଯେଉଁ ବୁଝାମଣା ହୋଇଥିଲା ତାହା ହୋଇପାରି ନାହିଁ । ଆସନ ସଂଖ୍ୟା ଓ ଭାଗବଣ୍ଟା ମାମଲାରେ ଦୁଷ୍ୟନ୍ତ ଭଲ ବୁଝାମଣା କରିପାରି ନାହାନ୍ତି । ଫଳରେ ହରିୟାଣା ୟୁନିଟ ସହ ବିଏସପି ମେଣ୍ଟ ଶେଷ କରି ଦେଇଛି । ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ପରେ ବିଏସପି ପୂର୍ବରୁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସହିତ ମଧ୍ୟ ମେଣ୍ଟ ଶେଷ କରି ଦେଇଥିଲା ।  

  • Tags: