Home > ରାଜନୀତି
ଦିଲ୍ଲୀ: ଆଜି ବିଜେପିରେ ଯୋଗଦେବେ ଆମ ଆଦମୀ ପାର୍ଟିର ଚର୍ଚ୍ଚିତ ବିଧାୟକ କପଳି ମିଶ୍ରା
Khabar Odisha:Politics-delhi-Aam-Admi-Party-leader-Kapil-Mishra-will-join-Bharatiya-Janta-Party-today

ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): ଆମ ଆଦମୀ ପାର୍ଟି ଓ ଦିଲ୍ଲୀ ସରକାରରେ ରହି ବୟାନବାଜି କରି ଏକଦା ଚର୍ଚ୍ଚାକୁ ଆସିଥିବା ନେତା ତଥା ବିଧାୟକ କପିଳ ମିଶ୍ରା ଶନିବାର ପୂର୍ବାହ୍ଣରେ ଔପଚାରିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । କପିଳ ମିଶ୍ରା ସୋସିଆଲ ମିଡିଆରେ ଶୁକ୍ରବାର ନିଜେ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କପିଳ ମିଶ୍ରା ଶନିବାର ପୂର୍ବାହ୍ଣ ୧୧ଟାରେ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦିଲ୍ଲୀ ପ୍ରଭାରୀ ଶ୍ୟାମ ଜାଜୁ ଓ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଉପସ୍ଥିତିରେ କିଛି ଜଣାଶୁଣା ନେତାଙ୍କୁ ନେଇ ବିଜେପିରେ ଯୋଗଦେବେ । ପରେ ବିଜେପି ନେତାମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କପିଳ ମିଶ୍ରା ଔପଚାରିକ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଯାଉଛନ୍ତି । 

କପିଳ ମିଶ୍ରା ଲୋକସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର କରିଥିଲେ । ଏହାକୁ ବିରୋଧ କରି ଆପ ବିଧାୟକ ସୌରଭ ଭରଦ୍ୱାଜ ବିଧାନସଭା ବାଚସ୍ପତିଙ୍କୁ ଅଭିଯୋଗ କରି କରାୱଲ ନଗରରୁ ନିଜ ପାର୍ଟିର ବିଧାୟକ କପିଳ ମିଶ୍ରାଙ୍କ ବିଧାନସଭାର ସଭ୍ୟପଦ ବାତିଲ କରାଯିବାକୁ ଦାବି କରିଥିଲେ । ପୂରା ମାମଲାର ଶୁଣାଣୀ ପରେ କପିଳ ମିଶ୍ରାଙ୍କର ସଭ୍ୟ ପଦ ବାତିଲ ହୋଇଥିଲା । ଏହା ପରେ କପିଳ ଔପଚାରିକ ଭାବେ ବିଜେପିରେ ଯୋଗଦେବା ନେଇ ଚିନ୍ତା କରିଥିଲେ । 

କପିଳ କହିଛନ୍ତି, ସେ ବିନା କୌଣସି ସର୍ତ୍ତ ଅଥବା ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଆଶା ନ ରଖି ସେ ବିଜେପିରେ ଯୋଗଦେଉଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ବିଜୟୀ କରିବା ପାଇଁ ସେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ବିଧାନସଭା କ୍ଷେତ୍ରର କୋର ଟିମର ସଭ୍ୟ ଏବଂ ଶତାଧିକ ସମର୍ଥକ ମଧ୍ୟ ଆଜି ବିଜେପିରେ ଯୋଗଦେଉଛନ୍ତି । ସୂଚନାଯୋଗ୍ୟ କପିଳ ମିଶ୍ରା ଦିଲ୍ଲୀ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । 

 

  • Tags: