Home > ରାଜନୀତି
ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ଜାରି ହୋଇପାରେ କଂଗ୍ରେସର ପ୍ରାର୍ଥୀ ତାଲିକା
Khabar Odisha:Politics-Congress-may-announced-its-candidates-for-Delhi-assembly-polls-today

ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । କଂଗ୍ରେସର ନିର୍ବାଚନ କମିଟି ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଛି । ଏହା କେବଳ ଘୋଷଣା କରିବାକୁ ବାକି ଅଛି ବୋଲି ଦିଲ୍ଲୀ କଂଗ୍ରେସ ସଭାପତି ସୁବାଷ ଚୋପ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେଣୁ ଯେତେଦୂର ଆଶା କରାଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ । 

କଂଗ୍ରେସର ବରିଷ୍ଠ ନେତା ସୁବାଷ ଚୋପ୍ରା କହିଛନ୍ତି, ଆମେ ଅଧିକାଂଶ ଆସନ ନେଇ ଆଲୋଚନା କରିଛୁ । ଖୁବ ଶୀଘ୍ର ଏହା ଘୋଷଣା କରାଯିବ । ବରିଷ୍ଠ ନେତା ଅଧିକାଂଶ ଆସନରୁ ନିର୍ବାଚନ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବେ କି ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ତରଫରୁ ପଚରାଯିବାରୁ ସୁବାଷ କହିଛନ୍ତି, ଏହା ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ । ଚୋପ୍ରା କହିଛନ୍ତି, ସେ ନିର୍ବାଚନରେ ଛିଡ଼ା ହେବେ ନାହିଁ । ନିର୍ବାଚନ ପରିଚାଳନା କରିବାକୁ ତାଙ୍କୁ ଦାୟିତ୍ୱ ମିଳିଛି । 

ସୁବାଷ ଚୋପ୍ରା କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଯେଉଁ ଆସନରେ ଛିଡ଼ା ହେବେ, ସେହି ଆସନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ କିଏ ହେବେ, ତାହା ନିର୍ଦ୍ଧାରିତ ହୋଇପାରି ନାହିଁ । ସୂତ୍ର ଅନୁସାରେ ବରିଷ୍ଠ କଂଗ୍ରେସ ନେତା ଅରବିନ୍ଦର ଲଭଲି ଗାନ୍ଧୀ ନଗର ଆସନରୁ ଲଢ଼ିବେ । ଅଜୟ ମାକେନ ନିଜ ଝିଅଙ୍କର ଅସୁସ୍ଥତା ଯୋଗୁଁ ଆମେରିକା ଯାଇଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଗାମୀ ଫେବୃଆରୀ ୮ରେ ମତଦାନ ଏବଂ ଫେବୃଆରୀ ୧୧ରେ ମତଗଣନା ହେବ ।

 

  • Tags: