Home > ରାଜନୀତି
ଉତ୍ତରପ୍ରଦେଶ: କଂଗ୍ରେସ କର୍ମୀ ଚାହାନ୍ତି ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ହୁଅନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
Khabar Odisha:Politics-Congress-workers-want-party-to-project-Priyanka-Gandhi-as-CM-candidate-for-UP-Assembly-poll

ଲଖନଉ, ଜୁନ ୧୩ (ଖବର ଓଡ଼ିଶା): କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀ ରହିବେ ନା ନାହିଁ, ସେ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ଉତ୍ତର ପ୍ରଦେଶର କଂଗ୍ରେସ କର୍ମୀମାନେ ବୁଧବାର ଏକ ନୂଆ ଦାବି କରିଛନ୍ତି । ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପନ କରୁ ବୋଲି ସେମାନେ ଦାବି କରିଛନ୍ତି । 

କଂଗ୍ରେସ କର୍ମୀମାନେ ୪୨ଟି ଲୋକସଭା ଆସନରୁ ଏକତ୍ର ହୋଇ ରାୟବରେଲିସ୍ଥିତ ଭୁଏମାଓ ଅତିଥି ଭବନରେ ପହଂଚିଥିଲେ । କାରଣ ଏଠାକୁ ପ୍ରିୟଙ୍କା ଗାନ୍ଧୀ ଦିନିକିଆ ଗସ୍ତରେ ଆସିଥିଲେ । ସପ୍ତଦଶ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ସମୀକ୍ଷା କରିବାକୁ ଉତ୍ତରପ୍ରଦେଶର ପୂର୍ବାଂଚଳ ପାଇଁ ମହାସଚିବ ପଦରେ ନିଯୁକ୍ତ ପ୍ରିୟଙ୍କା ଏହି ଗସ୍ତ କରିଥିଲେ । 

ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ନେତା ଓ କର୍ମୀଙ୍କୁ ଭେଟି ସେମାନଙ୍କର ସହିତ ଆଲୋଚନା କରିଛନ୍ତି । ନିର୍ବାଚନରେ ପରାଜୟର କାରଣ ସଂପର୍କରେ ସେ ଅବଗତ ହୋଇଛନ୍ତି । ସୋନିଆ ଗାନ୍ଧୀ ରାଏବରେଲିର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋନିଆ କହିଛନ୍ତି, ନିଜର ବିଜୟରେ ଦଳୀୟ ନେତା ଓ କର୍ମୀଙ୍କ ବଡ଼ ଭୂମିକା ରହିଛି । ସେମାନେ ନିର୍ବାଚନ ସମୟରେ ବହୁ ପରିଶ୍ରମ କରିଛନ୍ତି । ବୈଠକରେ ବରିଷ୍ଠ କଂଗ୍ରେସ ନେତ୍ରୀ ଆରକେ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । 

 

  • Tags: