Home > ରାଜନୀତି
ବିଜେପୁର ବ୍ୟାଟେଲ: ଦିନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ
Khabar Odisha:Politics-Odisha-Bijepur-Bypoll-voting-upto-1pm
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

ଶାନ୍ତି ଶୃଙ୍ଖଳାର ସହ କଡ଼ା ସୁରକ୍ଷା ମଧ୍ୟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଛି । କେଉଁଠି ବି କୌଣସି ବିଶୃଙ୍ଖଳାର ସୂଚନା ମିଳି ନାହିଁ । ଏହାରି ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଅପରାହ୍ନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ସକାଳ ୭ଟାରୁ ଏବେ ଯାଏଁ ଗୋଟିଏ ୭ଟା ବାଲାଟ୍ ୟୁନିଟ୍ ଓ ଭିଭିପାଟରେ ତ୍ରୁଟିଥିବା ସୂଚନା ମିଳିବା ପରେ ସୁଧାରିବା ବ୍ୟବସ୍ଥା କରାଯାଇଥିଲା। ଲୋକମାନେ ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। କୋଣସି ସମସ୍ୟା ନାହିଁ। ଆଗକୁ ଅଧିକ ଲୋକ ମତ ଦେବେ ବୋଲି ବିଶ୍ଵାସ ରହିଛି। ବୁଥ୍ ଗୁଡିକରେ ପିଇବା ପାଣି, ବିଦ୍ୟୁତୀକରଣ, ଦିବ୍ୟାଙ୍ଗଙ୍କ ପାଇଁ ହ୍ଵିଲ ଚେୟାରର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ସ୍ଵତନ୍ତ୍ର ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଆସନରେ ବରପାଲି ବ୍ଲକରୁ ଜଣେ ୧୦୦ ବର୍ଷୀୟା ବୃଦ୍ଧା ଭୋଟ ଦେବାକୁ ପହଁଚିଥିଲେ। ଯାହାକି ନିର୍ବାଚନକୁ ନେଇ ଲୋକମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ଏନେଇ ଭୁବନେଶ୍ଵରରୁ ସିଇଓ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରୁଛନ୍ତି । ବିଜେଡ଼ିରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ମୋଟ ୨୮୫ ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର, ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର, ୧୫ ଜଣ ତୃତୀୟ ଲିଙ୍ଗି ଭୋଟର୍ ରହିଛନ୍ତି । 

୧୩୫ଟି ସମ୍ବେଦନଶୀଳ ବୁଥ ରହିଛି । ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିଛନ୍ତି । ୨,୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି ।

  • Tags: