Home > ରାଜନୀତି
ବିଜେପୁରକୁ ନେଇ ବସନ୍ତ ଏବଂ ପ୍ରତାପଙ୍କ ପ୍ରତିକ୍ରିୟା, ବିଜେପି ନିଶ୍ଚିତ ଜିତିବ
Khabar Odisha:Politics-Odisha-Bijepur-bypoll-Pratap-sarangi-and-basanta-panda-said-BJP-will-deefinitly-win
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ବହୁ ପ୍ରତିକ୍ଷୀତ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ଘୋଷଣା ହୋଇସାରିଛି ଉପନିର୍ବାଚନ ତାରିଖ । ଆସନ୍ତା ଅକ୍ଟୋବର ୨୧ରେ ବିଜେପୁରରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏହା ସହ ବିଜେପୁର ନିର୍ବାଚନରେ ହେବାକୁ ଥିବା କଡ଼ା ଟକ୍କରରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି । 

ଆଜି ଜାତୀୟ ନିର୍ବାଚନ କମିଶନର ସୁନୀଲ ଆରୋରା ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ରେ ମତଦାନ ହେବ । ୨୪ରେ ଭୋଟ ଗଣତି କରାଯିବ । ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଚଳିତ ଥର ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବେ । ଖୁବଶୀଘ୍ର ଜଣେ ବରିଷ୍ଠ ବିଜେପି ନେତା କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ କରାଯିବ । ଏଥର ଜଳ ଜିତିବା ପାଇଁ ଲଢିବ ଏବଂ ଜିତିବ ମଧ୍ୟ । ବିଜେପୁର ପନିପରିବା ଦର ବୃଦ୍ଧି, ଚାଷୀ ଓ ଜଳସେଚନ ଭଳି ସ୍ଥାନୀୟ ସମସ୍ୟା ବିଜେପିର ମୁଖ୍ୟ ପ୍ରସଙ୍ଗ ହେବ । ବିଜେଡି ବିଜେପୁର ବାସୀଙ୍କୁ ଠକିଛି । ଉପନିର୍ବାଚନରେ ଏହାର ପ୍ରତିଫଳନ ହେବ । 

ସେହିପରି ବିଜେପୁର ଉପନିର୍ବାଚନ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଜେପୁରରେ କଡ଼ା ଟକ୍କର ହେବ । ସେଥିରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସନତ ଗରତିଆଙ୍କୁ ୫୩ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । କିନ୍ତୁ ନବୀନ ହିଞ୍ଜିଳି ଆସନରୁ ମଧ୍ୟ ବିଧାୟକ ଥିଲେ । ତେଣୁ ତାଙ୍କୁ ବିଜେପୁର ଆସନ ଛାଡିବାକୁ ପଡିଥିଲା ।

  • Tags: