Home > ରାଜନୀତି
ସଦସ୍ୟ ଗ୍ରହଣ ଅଭିଯାନରେ ଭୋଟର ପରିଚୟ ପତ୍ର ଲିଙ୍କ କରିବ କଂଗ୍ରେସ: ରାମଚନ୍ଦ୍ର ଖୁଣ୍ଟିଆ
Khabar Odisha:Politics-Odisha-Vote-card-link-in-Congress-Sadasyata-Abhijan
ଭୁବନେଶ୍ୱର, ସେପ୍ଟେମ୍ବର ୦୯(ଖବର ଓଡ଼ିଶା):

ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକସ୍ଥିତିକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି । ବିଜେପି ଓ ବିଜେଡିର ସଦସ୍ୟ ଗ୍ରହଣ ଅଭିଯାନ ପରେ ଏବେ କଂଗ୍ରେସ ଦଳ ଚଳିତ ମାସ ୬ତାରିଖରୁ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ କଂଗ୍ରେସ ବିଜେଡିର ତରିକା ଆପଣାଇ ଭୋଟର ପରିଚୟ ପତ୍ର ଲିଙ୍କ କରାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ଇନଚାର୍ଜ ରାମଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି । 

ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରି ନଥିଲା । ଲୋକସଭାରେ ଗୋଟିଏ ଓ ବିଧାନସଭାରେ ୯ଟି ଆସନରେ ବିଜୟୀ ହୋଇଥିଲା । ତେଣୁ ବର୍ତ୍ତମାନ ଓଡ଼ିଶାରେ ନିଜ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାକୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିଛି । ରାଜ୍ୟରୁ ୫୦ରୁ ୬୦ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ କଂଗ୍ରେସ ଲକ୍ଷ୍ୟ ରହିଛି । ତେବେ ଏହି ସଦସ୍ୟ ଗ୍ରହଣ ଅଭିଯାନରେ ଭୋଟର ପରିଚୟ ପତ୍ର ଲିଙ୍କ କରାଯିବ । ୨୦୨୨ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ୫ଟଙ୍କ ଦେଇ ଜଣେ ୫ବର୍ଷ ଯାଏଁ ସଦସ୍ୟ ହୋଇପାରିବେ । ଏଥିରେ ଭୋଟର କାର୍ଡ ଲିଙ୍କ କରାଯିବ କିନ୍ତୁ ବିଜେଡି ଭଳି କଂଗ୍ରେସ ଆଧାର ଲିଙ୍କ କରିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ଇନଚାର୍ଜ ରାମଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି । 

ଏହା ସହ ସେ କହିଛନ୍ତି ଯେ, କଂଗ୍ରେସ ସଦସ୍ୟ ଗ୍ରହଣ ଅଭିଯାନରେ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି କ୍ୟାଡର ସୃଷ୍ଟି କରାଯିବ । କ୍ୟାଡରଙ୍କୁ ପ୍ରେରକ କୁହାଯିବ, ପ୍ରେରକମାନଙ୍କ ପାଇଁ ସିଲାବସ ପ୍ରସ୍ତୁତ ହେବ । ପ୍ରେରକଙ୍କ ତାଲିମ ପାଇଁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି ହେବ ।

  • Tags: