Home > ରାଜନୀତି
ଗେଷ୍ଟ ହାଉସ କାଣ୍ଡ: ମୁଲାୟମ ସିଂହଙ୍କ ପାଇଁ ନରମିଲେ ବିଏସପି ସୁପ୍ରିମୋ ମାୟାବତୀ
Khabar Odisha:Politics-BSP-chief-Mayawati-now-getting-soft-on-Mulayam-Singh-Yadav-on-guest-house-embers

ଲଖନଉ, ନଭେମ୍ବର ୦୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ରାଜନୀତିରେ ବିଗତ ତିନି ଦଶନ୍ଧିରେ ଚର୍ଚ୍ଚିତ ଗେଷ୍ଟ ହାଉସ କାଣ୍ଡରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିରୋଧରେ କୋର୍ଟରେ ମୋକଦ୍ଦମା ଫେରାଇ ଆଣିଛନ୍ତି । ରାଜଧାନୀ ଲଖନଉରେ ୧୯୯୫ ଜୁନ ୨ରେ ଗେଷ୍ଟ ହାଉସରେ ମାୟାବତୀଙ୍କ ସହିତ ଏହି ଘଟଣା ଘଟିଥିଲା । ମାମଲାରେ ମୁଲାୟମ ସିଂହ, ତାଙ୍କ ଭାଇ ଶିବପାଳ ଯାଦବ, ବେନି ପ୍ରସାଦ ବର୍ମା ଓ ଆଜମ ଖାନ ସମେତ ଅନେକ ନେତାଙ୍କ ବିରୋଧରେ ମାୟାବତୀଙ୍କ ତରଫରୁ ହଜରତଗଂଜ ଥାନାରେ ମାମଲା ରୁଜୁ କରାଯାଇଥିଲା । 

ବହୁଜନ ସମାଜ ପାର୍ଟିର ଜଣେ ବରିଷ୍ଠ ନେତା ମୋକଦ୍ଦମା ଫେରାଇ ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ସୂତ୍ର ଅନୁସାରେ ଆବେଦନ କେବଳ ମୁଲାୟମଙ୍କ ପାଇଁ ଦିଆଯାଇଛି । ଅନ୍ୟମାନଙ୍କ ବାବଦରେ ଆବେଦନରେ କିଛି ଉଲ୍ଲେଖ କରାଯାଇ ନାହିଁ । 

ଜଣେ ନେତାଙ୍କ କହିବା ଅନୁସାରେ ଗତ ଜାନୁୟାରୀ ୧୨ରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ସମୟରେ ଏହାର ଭୂମିକା ଥିଲା । ସମାଜବାଦୀର ଶୀର୍ଷ ନେତୃତ୍ୱ ମାୟାବତୀଙ୍କୁ ମୁଲାୟମଙ୍କ ବିରୋଧରେ ମୋକଦ୍ଦମା ଫେରାଇ ଆଣିବାକୁ କୁହାଯାଇଥିଲା । ମାୟାବତୀ ଏପ୍ରିଲ ୯ରେ ମେନପୁରୀରେ ମୁଲାୟମଙ୍କ ସହିତ ୨୪ ବର୍ଷ ପରେ ଏକ ମଂଚରେ ଦେଖାଯାଇଥିଲେ । ସେଦିନ ଉଭୟ ନେତା-ନେତ୍ରୀ ଜନତାଙ୍କୁ ଭୋଟ ମାଗିଥିଲେ । ଏହି ସମୟରେ ମାୟାବତୀ ଗେଷ୍ଟ ହାଉସ କାଣ୍ଡକୁ ମନେ ପକାଇଥିଲେ । ମୁଲାୟମ କହିଥିଲେ, ମାୟାବତୀ ବହୁତ ସହଯୋଗ କରିଛନ୍ତି । ତାଙ୍କୁ ଭୁଲିହେବ ନାହିଁ । ମାତ୍ର ନିର୍ବାଚନ ପରେ ମେଣ୍ଟ ଭାଙ୍ଗି ଯାଇଥିଲା । 

୧୯୯୩ରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ । ମୁଲାୟମ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସରକାର ୨ ବର୍ଷ ତିଷ୍ଠି ଥିଲା । ୧୯୯୫ ଜୁନ ୨ରେ ମାୟାବତୀ ଦଳୀୟ କର୍ମୀଙ୍କ ସହ ବୈଠକ କରୁଥିଲେ । ସପା ଭାବିଥିଲା ଯେ, ମାୟାବତୀ ମେଣ୍ଟ ଭାଙ୍ଗିବାକୁ ଯାଉଛନ୍ତି । କିଛି କର୍ମକର୍ତ୍ତା ଗେଷ୍ଟ ହାଉସ ପହଂଚି ଆକ୍ରମର କରିଥିଲେ । ଭୟରେ ମାୟାବତୀ ଏକ କୋଠରି ଭିତରକୁ ପଶି ଯାଇ କବାଟ ବନ୍ଦ କରି ଦେଇଥିଲେ । ମାୟାବତୀଙ୍କ ସହିତ ଯୁକ୍ତିତର୍କ କରିଥିଲେ । କୌଣସି ପ୍ରକାରରେ ମାୟାବତୀ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ପରବର୍ତ୍ତୀ ଦିନ ବିଜେପି ସାହାଯ୍ୟରେ ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

  

 

  • Tags: