Home > ରାଜନୀତି
ଉତ୍ତର ପ୍ରଦେଶରେ କଂଗ୍ରେସର ନୂଆଁ ଟିମ, ଅଜୟ କୁମାର ଲଲ୍ଲୁଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ
Khabar Odisha:Politics-Congress-made-changes-in-UPCC-Ajay-Lallu-becomes-president

ଲଖନଉ, ଅକ୍ଟୋବର ୦୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ କଂଗ୍ରେସର ଶ୍ରେଷ୍ଠସ୍ତରରେ ନେତୃତ୍ୱ ପରିବର୍ତ୍ତନ ହୋଇଛି । ରାଜ ବବରଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ପାର୍ଟିନେତା ତଥା କୁଶୀନଗରରୁ ବିଧାୟକ ଅଜୟ କୁମାର ଲଲ୍ଲୁଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ନେତା ପ୍ରମୋଦ ତିୱାରୀଙ୍କ ଝିଅ ଏବଂ ରାମପୁର ଖାସରୁ ବିଧାୟିକା ଆରାଧନା ମିଶ୍ରଙ୍କୁ ‘ମୋନା’ଙ୍କୁ ବିଧାୟକ ଦଳର ନେତ୍ରୀ ଭାବେ ବଛା ଯାଇଛି । ଆରାଧନାଙ୍କ ପୂର୍ବରୁ ଏହି ଦାୟିତ୍ୱ ଅଜୟଙ୍କ ନିକଟରେ ଥିଲା । 

ଏହା ବ୍ୟତୀତ ପାର୍ଟି ୪ ଜଣଙ୍କୁ ରାଜ୍ୟ  ଉପସଭାପତି ପାଇଁ ମଧ୍ୟ ନିଯୁକ୍ତି କରିଛି । ବୀରେନ୍ଦ୍ର ଚୌଧୁରୀ, ପଙ୍କଜ ମଲିକ, ଲଲିତେଶପତି ତ୍ରିପାଠୀ ଓ ଦୀପକ କୁମାର ଉପସଭାପତି ହୋଇଛନ୍ତି । ଲୋକସଭା ନିର୍ବାଚନରେ ପରାଜୟ ହେବା ପରେ ରାଜ ବବରଙ୍କୁ ରାଜ୍ୟ ସଭାପତି ପଦରୁ ବାହାର କରାଯିବା ନେଇ ଆଲୋଚନା ହେଉଥିଲା । ରାଜ ବବର ନିଜେ ଇସ୍ତଫା ଦେଇଥିଲେ । ମାତ୍ର ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ଗ୍ରହଣ କରି ନ ଥିଲେ । ଏହାରି ମଧ୍ୟରେ ନୂଆଁ ନେତା ଖୋଜା ଚାଲିଥିଲା ଏବଂ ଅଜୟଙ୍କ ନାମ ଆଗରେ ଥିଲା । ଅଜୟ କୁମାରଙ୍କୁ ପୂର୍ବ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ସାରଥୀ ଭାବେ ଦେଖାଯାଇଥାଏ । ରାଜ୍ୟ ସଭାପତି ହେବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ଟିମରେ ରଖାଯାଇଥିଲା । କୁଶୀନଗରର ତମକୁହିରାଜ ଠାରୁ ସେ କ୍ରମାଗତ ଭାବେ ୨ ଥର ବିଧାୟକ ହୋଇଛନ୍ତି । ପୂର୍ବ ଉତ୍ତର ପ୍ରଦେଶରେ ପରିବର୍ତ୍ତନ ପାଇଁ ଅଜୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ।  

  • Tags: