Home > ରାଜନୀତି
ନିକଟତର ହେଉଛି ବିଜେପି-ବିଜେଡ଼ି ? ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାର ଉଦାହରଣ ନେଇ ନବୀନଙ୍କୁ ପ୍ରଶଂସା କଲେ ଶାହା
Khabar Odisha:Politics-odisha-bjp-and-bjd-relation-going-to-good-after-the-cyclone-fani
ଭୁବନେଶ୍ଵର,ମେ୧୫(ଖବର ଓଡ଼ିଶା):

ବାତ୍ୟା ଫୋନି ପରେ ରାଜ୍ୟର ରାଜନୈତିକ ପଟ୍ଟଦୃଶ୍ୟରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ଗୋଟିଏ ପଟେ ଫୋନି ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଅନ୍ୟ ପଟେ ରାଜ୍ୟର ଦୁଇ ରାଜନୈତିକ ତଥା ଘୋର ବିରୋଧୀ ବିଜେପି ଓ ବିଜେଡ଼ିକୁ କରିଛି ନିକଟତର । ଖାସ୍ କରି ଫୋନିର ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ସହଯୋଗ ଓ ସମନ୍ଵୟ ସମୟରେ ଏହି ଦୁଇ ଦଳ ପରସ୍ପରକୁ ପ୍ରଶଂସାରେ ପୋତି ପକାଉଛନ୍ତି। ଯାହାକୁ ଦେଖିଲେ ଲାଗୁଛି ଯେ ଦୁଇ ଦଳ ମଧ୍ୟରେ ସଂପର୍କ ନିବିଡ଼ ହେବାରେ ଲାଗିଛି। ବାତ୍ୟା ମୁକାବିଲା ନେଇ ନବୀନଙ୍କୁ ମୋଦୀଙ୍କ ପ୍ରଶଂସା ପରେ କେନ୍ଦ୍ରୀୟ ସହାୟତା ନେଇ ନବୀନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କ୍ରମରେ ପ୍ରେସମିଟରେ ନବୀନଙ୍କ  ଶାସନକୁ ପ୍ରଶଂସା କରିଛନ୍ତି ଅମିତ୍ ଶାହା।

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ହିଂସା ପରିପ୍ରେକ୍ଷୀରେ ନବୀନଙ୍କ ଉଦାହରଣ ଦେଇ ଶାହା ତାଙ୍କୁ ପ୍ରଶଂସା କରିଛନ୍ତି। ଶାହା କହିଛନ୍ତି ଯେ ବିଜେପି ପ୍ରତି ବଢୁଥିବା ଜନ ସମର୍ଥନ ଦେଖି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ସହ୍ୟ କରିପାରୁନାହିଁ। ସେଥିପାଇଁ ବିଜେପି କାର୍ୟ୍ୟତକର୍ତ୍ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି। କାହିଁକି ଖାଲି ଟିଏମସି ଶାସିତ ରାଜ୍ୟରେ ଏମିତି ହେଉଛି ବୋଲି ଶାହା ପ୍ରଶ୍ନ କରିଛନ୍ତି। କାହିଁକି ଖାଲି ଟିଏମସି ଶାସିତ ରାଜ୍ୟରେ ଏଭଳି ହିଂସା ଘଟୁଛି ? 

ଶାହା କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟରେ ତ କାହିଁକି ଏଭଳି କିଛି ହିଂସା ଘଟୁନି।  ଦେଶରେ ଅନେକ ଦଳର ଶାସନ ଚାଲିଛି, ଏଭଳି କେଉଁଠି ତ  ହେଉନି। ଓଡ଼ିଶାରେ ବି ତ ନବୀନ ବାବୁଙ୍କ ଶାସନ ଚାଲିଛି।  କାହିଁକି ତ ଓଡ଼ିଶାରେ ଏମିତି ହିଂସା ଘଟୁନି। ଏଭଳି କହି ନବୀନଙ୍କୁ ପରୋକ୍ଷରେ ପ୍ରଶଂସା କରିଛନ୍ତି ଅମିତ୍ ଶାହା। 

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ବିଜେଡି ପରସ୍ପରକୁ ଶାନିତ ସ୍ଵରରେ ସମାଲୋଚନା କରୁଥିଲେ। ବିଭିନ୍ନ ପ୍ରସଙ୍ଗ ନେଇ ବିଜେପିର ତୁଙ୍ଗ ନେତାଙ୍କଠୁ ନେଇ ନରେନ୍ଦ୍ର ମୋଦୀ, ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଓ ନବୀନ ସରକାରକୁ ହମଲା କରୁଥିଲେ। ଅନ୍ୟ ପଟେ ବିଜେଡି କେନ୍ଦ୍ରୀୟ ଅବହେଳା ଉଠାଇ ବିଜେପି ଉପରେ ଜୋରଦାର ହମଲା କରୁଥିଲା। 

ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଥିବା କହି ସିଧା ସଳଖ ବିଜେଡିକୁ ଶାହା ହମଲା କରିଥିଲେ। ଅନେକ ସଭାରେ ପ୍ରଧାନମନ୍ତ୍ରୀ ବିଜେଡି ଉପରେ ବର୍ଷିଥିଲେ। ଖୋର୍ଦ୍ଧାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ନେଇ ସିଧାସଳଖ ଆରୋପ ଲଗାଇଥିଲେ। ମାତ୍ର ଏହି ସବୁ ରାଜନୈତିକ ତିକ୍ତତାକୁ ହ୍ରାସ କରି ଦେଇଛି  ବାତ୍ୟା ଫୋନି। ଫୋନି ମାଡ ଏବେ  ବିଜେପି ଓ ବିଜେଡିକୁ ନିକଟତର କରୁଛି। ଯାହାକୁ ସମାଲୋଚନା କରିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପି- ବିଜେଡି ମଧ୍ୟରେ ଭିତିରିଆ ମେଣ୍ଟ ଚାଲୁଥିବା ଅଭିଯୋଗ କରିଥିଲେ।