Home > ରାଜନୀତି
ମହାରାଷ୍ଟ୍ରରେ ଅଢେଇ-ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି-ଶିବସେନା ମଧ୍ୟରେ ଚୁକ୍ତି !
Khabar Odisha:Politics-odisha-varun-saredesai-claims-that-bjp-and-shivsena-will-share-cm-post-for-two-and-half-years-each
ମୁମ୍ବାଇ,ଜୁନ୧୧(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନ ପରେ ଶିବସେନା ଓ ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଏକ ସଙ୍ଗେ ନିର୍ବାଚନ ଲଢିବେ। କେବଳ ଏତିକି ନୁହେଁ ଦୁଇ ପାର୍ଟି ମଧ୍ୟରେ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ମଧ୍ୟ ଚୁକ୍ତି ହୋଇଛି। ଏହି ସୂଚନା ଶିବସେନାର ଯୁବ ନେତା ତଥା ଆଦିତ୍ୟ ଠାକୁରଙ୍କ ସଂପର୍କୀୟ ଭାଇ ବରୁଣ ସରଦେଶାଇ ଟ୍ଵିଟ୍ କରି ଦେଇଛନ୍ତି। ମାତ୍ର ଏବେ କୌଣସି ବରିଷ୍ଠ ନେତା ଏହି ନିଷ୍ପତି ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି।

ସରଦେଶାଇ ଟ୍ଵିଟ୍ କରିଛନ୍ତି ଯେ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ନିଷ୍ପତି ନେଇଛନ୍ତି ଯେ, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରେ ଅଢେଇ ବର୍ଷ ବିଜେପି ବସିଲେ ଆଉ ଅଢେଇ ବର୍ଷ ଶିବସେନା ବସିବ। ଯେଉଁ ଲୋକ ଏହି ଚୁକ୍ତି ସମୟରେ ଉପସ୍ଥିତ ନଥିଲେ, ସେମାନେ ନିଜର ସ୍ଵାର୍ଥ ପାଇଁ  ମେଣ୍ଟକୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି।  ଶିବସେନାର ଯୁବସେନା ସଚିବଙ୍କ ଏହି ଟ୍ଵିଟ୍ ଉପରେ ଏ ପର୍ୟ୍ୟମନ୍ତ ବିଜେପି କିମ୍ବା ଶିବସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ମାତ୍ର ଏହି ଟ୍ଵିଟ୍ ମହାରାଷ୍ଟ୍ରର ରାଜନୀତିକୁ ସରଗରମ କରିଛି। 

ମହାରାଷ୍ଟ୍ରରେ ବିଜେପି ଶାସନ ରହିଛି ଏବଂ  ଦେବେନ୍ଦ୍ର ଫଡନବିଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ନିର୍ବାଚନ ହୋଇପାରେ। ୨୮୮ ଆସନ ବିଶିଷ୍ଟ ଏହି ରାଜ୍ୟରେ ବିଜେପି ପାଖରେ ସବୁଠୁ ଅଧିକ ୧୨୨ ସିଟ୍ ରହିଛି। ଏହାର ସହଯୋଗୀ ଶିବସେନା ପାଖରେ ୬୩ଟି ଆସନ ଥିବା ବେଳେ ବିରୋଧୀ କଂଗ୍ରେସ ପାଖରେ  ୪୨ ଏବଂ ଏନସିପି ପାଖରେ ୪୧ ସିଟ୍ ରହିଛି।

ଲୋକସଭା ନିର୍ବାଚନ ୨୦୧୯ରେ ବହୁ ମାନସ ମନ୍ଥନ ପରେ ଦୁଇ ପାର୍ଟି ଏକାଠି ନିର୍ବାଚନ ଲଢିଥିଲେ। ଉଭୟ ଦଳକୁ ଲୋକସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ମିଳିଛି। ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା  ୧୮ଟି ସିଟରେ ବିଜୟୀ ହୋଇଛି। ଏନସିପି ଖାତାକୁ ୪ ସିଟ୍ ଯାଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ଜିତିବାକୁ ସଫଳ ହୋଇଛି।

  • Tags: