Home > ରାଜନୀତି
ରାଜ୍ୟପାଳଙ୍କ ପାଇଁ ଖୋଲିଲାନି ପଶ୍ଚିମବଙ୍ଗ ବିଧାନସଭା ଗେଟ୍, ବାହାରେ ଠିଆ ହେଲେ ଧନଖଡ
Khabar Odisha:national-odisha-high-drama-at-west-bengal-assembly-gate-closed-when-governor-jagdeep-dhankar-reaches-state-assembly
କୋଲକାତା, ଡିସେମ୍ଵର ୦୫ (ଖବର ଓଡିଶା) :

 ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ଟଣାଓଟରା ଚାଲିଛି। ତେବେ ଆଜି କୋଲକାତାର ବିଧାନସଭା ବାହାରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ରାଜ୍ୟପାଳ ଧନଖଡ ବିଦାନସଭାକୁ ପ୍ରବେଶ କରିବାକୁ ପହଁଚିବା ସମୟରେ ଗେଟ୍ ବନ୍ଦ ଥିଲା। ପ୍ରୋଟୋକଲ ଅନୁଯାୟୀ, ରାଜ୍ୟପାଳ ଯେଉଁ ଗେଟରେ ପ୍ରବେଶ କରିବା ଉଚିତ୍, ତାହାକୁ ବନ୍ଦ ରଖାଯାଇଥିଲା। ଫଳରେ ରାଜ୍ୟପାଳଙ୍କୁ ବାହାରେ ଠିଆ ହେବାକୁ ପଡିଥିଲା। ପରେ ସେ ୨ ନମ୍ଵର ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଏହାପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି।

ଲୋକତନ୍ତ୍ର ଏଭଳି ଚାଲିବ ନାହିଁ- ରାଜ୍ୟପାଳ

ବିଧାନସଭା ଗେଟ୍ ବାହାରେ ରାଜ୍ୟପାଳ ଧନଖଡ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଅପମାନିତ ଅନୁଭବ କରୁନାହିଁ। ମୁଁ ବ୍ୟବସ୍ଥାରେ ସୁଧାର କରିବାକୁ ଅଛି। ରଚନାତ୍ମକ ଦାୟିତ୍ଵ ତୁଲାଇବା ମୋର ଭୂମିକା। ସମସ୍ତଙ୍କୁ ଭାରତୀୟ ସମ୍ଵିଧାନ ଉପରେ ବିଶ୍ଵାସ ହେବା ଉଚିତ୍। ମୋ ପ୍ରବେଶ ପାଇଁ ଯେଉଁ ଗେଟ୍ ହୋଇଛି ସେଠାରେ ପ୍ରବେଶ କରିବାକୁ ମୁଁ ଆସିଥିଲି କିନ୍ତୁ ଆଶ୍ଚର‌୍ୟ୍ୟର ବିଷୟ ଏହି ଗେଟ୍ କଣ ପାଇଁ ବନ୍ଦ ଅଛି। ବିଧାନସଭା ଅଧିବେଶନ ଚାଲୁନି ଏହାର ଅର୍ଥ ଏହା ନୁହେଁ କି ବିଧାନସଭା ବନ୍ଦ ହୋଇଯିବ। ଲୋକତନ୍ତ୍ର ଏଭଳି ଚାଲିବ ନାହିଁ। 

ରାଜ୍ୟପାଳ କହିଛନ୍ତି ଯେ, ବିଧାନସଭାର ଐତିହାସିକ ବିଲ୍ଡିଂ ଦେଖିବା ପାଇଁ ଆସିଥିଲେ। ଏହା ସେ ଲାଇବ୍ରେରୀ ମଧ୍ୟ ଯିବେ। ବିଧାନସଭା ଆସିବା ପାଇଁ ସେ ଲିଖିତ ଭାବରେ ସୂଚନା ଦେଇଥିଲେ। ସମ୍ବିଧାନରେ ରାଜ୍ୟପାଳଙ୍କୁ ପ୍ରଦେଶର ପ୍ରଥମ ନାଗରିକ ସ୍ଥାନ ଦିଆଯାଇଛି। ପଶ୍ଚିମବଙ୍ଗର ରାଜ୍ୟପାଳ ପ୍ରୋଟୋକଲ ଅନୁଯାୟୀ ରାଜ୍ୟପାଳ ବିଧାନସଭାରେ ୩ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ। ନଭେମ୍ଵର ୨୬ରେ ସମ୍ବିଧାନ ଦିବସରେ ମଧ୍ୟ ଏହି ଗେଟ୍ ଖୋଲାଥିଲା କିନ୍ତୁ ଆଜି ଏହି ଗେଟ୍ ବନ୍ଦ ରହିଥିଲା। ଏହା ପୂର୍ବରୁ ରାଜ୍ୟପାଳ ମମତା ସରକାରଙ୍କୁ ଲିଖିତ ଭାବରେ ବିଧାନସଭା ଆସିବେ ବୋଲି ସୂଚନା ଦେଇଥିଲେ।