Home > ରାଜନୀତି
ମହାରାଷ୍ଟ୍ର, ହରିୟାଣାରେ ବାଜିଲା ନିର୍ବାଚନୀ ବିଗୁଲ, ଅକ୍ଟୋବର ୨୧ରେ ମତଦାନ, ୨୪ରେ ଫଳାଫଳ
Khabar Odisha:national-politicas-odisha-election-commission-announce-press-conference-dates-for-maharashtra-haryana-assembly-elections-2019
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

 ମହାରାଷ୍ଟ୍ର, ହରିୟାଣାରେ ବାଜିଲା ବିଧାନସଭା ନିର୍ବାଚନର ବିଗୁଲ।  ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଅକ୍ଟୋବର ୨୪ରେ ଭୋଟ ଗଣତି ହେବ। 

ହରିୟାଣା ଏବଂ ମହାରାଷ୍ଟ୍ରର ବିଧାନସଭା ଯଥା କ୍ରମେ ନଭେମ୍ବର ୨ରେ ଓ ନଭେମ୍ବର ୯ରେ କାର୍ଯ୍ୟକାଳ  ସମାପ୍ତ ହେବାକୁ ଯାଉଛି। ତେଣୁ ଏହି ଦୁଇ ରାଜ୍ୟରେ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ। ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ହରିଆଣାରେ ୯୦ଟି ଆସନ ମତଗ୍ରହଣ କରାଯିବ। ଏଥିପାଇଁ ସେପ୍ଟେମ୍ବର ୨୭ରେ ବିଜ୍ଞପ୍ତି ଜାରି ହେବ ଏବଂ ଅକ୍ଟୋବର ୪ରେ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ରହିଛି। ତେଣୁ ଅକ୍ଟୋବର ୪ ସୁଦ୍ଧା ସମସ୍ତଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାକୁ କୁହାଯାଇଛି। 

ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଥିବା ବେଳେ ହରିୟାଣାରେ ୧.୨୮ କୋଟି ମତଦାତା ଅଛନ୍ତି। ସେହି ସମୟରେ ହରିୟାଣାରେ ୧.୦୩ ଲକ୍ଷ ବାଲାଟ୍ ୟୁନିଟ୍ ରହିଛି ଓ ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି। ଏହା ସହ ଏଠାରେ ୧.୨୮ଲକ୍ଷ ସିୟୁ ଓ ୧.୩୯ ଲକ୍ଷ ଭିଭିପାଟ୍ ମେସିନ୍ ଅଛି। ତେବେ ନିର୍ବାଚନୀ ପ୍ରଚାରର ଖର୍ଚ୍ଚସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଅଧିକତମ ୨୮ଲକ୍ଷ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଦୁଇ ରାଜ୍ୟ ପାଇଁ ଲାଗୁ ହେବ।

ସେହି ସମୟରେ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ଖର୍ଚ୍ଚ କରୁଥିବା ଅର୍ଥର ହିସାବ ୩୦ ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ଏହା ସହ ପ୍ରାର୍ଥୀଙ୍କୁ ଅପରାଧିକ ରେକର୍ଡ ଦେବାକୁ ପଡିବ।  ପ୍ରାର୍ଥୀମାନଙ୍କୁ ନିଜର ସମସ୍ତ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପଡିବ। ପର୍ଯ୍ୟାବରଣକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ସମୟରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ମଧ୍ୟ ନିର୍ବାଚନ ଆୟୋଗ ନିବେଦନ କରିଛନ୍ତି। 

ଏହି ସମୟରେ ସୁନୀଲ ଅରୋରା ଇଭିଏମ୍ ଓ ଭିଭିପାଟର ସୁରକ୍ଷା ବିଷୟରେ କହିଛନ୍ତି କି, ଇଭିଏମ୍ ଓ ଭିଭିପାଟ୍ ମେସିନକୁ ଡବଲ ଲକ କରି ରଖାଯିବ। କୌଣସୀ ବି ପ୍ରାର୍ଥୀ କିମ୍ବା ତାଙ୍କ ସାଥୀ ନିର୍ଦ୍ଧାରିତ ଦୂରରୁ ଷ୍ଟ୍ରଙ୍ଗ ରୁମ ଉପରେ ନଜର ରଖିପାରିବେ। ସେହି ସମୟରେ ଏବେ ନିର୍ବାଚନରେ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ହେଉଥିବା କାରଣରୁ ଏହାକୁ ଦୃଷ୍ଟିରେ ରଖାଯିବ। 

୬୪ଟି ଆସନରେ ଉପନିର୍ବାଚନ

ଏତଦ୍ ବ୍ୟତୀତ ଅଲଗା ଅଲଗା ରାଜ୍ୟରେ ୬୪ଟି ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏଥିରେ ଅରୁଣାଚଳପ୍ରଦେଶ, ବିହାର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜୁରାଟ, ଆସାମ, ଓଡିଶା ଆଦି ରାଜ୍ୟ ରହିଛି।