Home > ରାଜନୀତି
ବିଧାନସଭା ନିର୍ବାଚନ : ହରିୟାଣାରେ ୨୧ ପ୍ରତିଶତ ଓ ମହାରାଷ୍ଟ୍ରରେ ୧୪ପ୍ରତିଶତ ମତଦାନ
Khabar Odisha:political-national-odisha-haryana-maharashtra-assembly-elections-2019-voting-live-updates-khattar-fadnavis-bhupendra-hooda
ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡିଶା) :

ଆଜି ୨ଟି ରାଜ୍ୟର ବିଧାନସଭା ନିର୍ବାଚନର ମତଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ହରିୟାଣାରେ ୨୧ ପ୍ରତିଶତ ମତଗ୍ରହଣ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୪ପ୍ରତିଶତ ମତଗ୍ରହଣ ହୋଇଛି। ଦୁଇ ରାଜ୍ୟର ବହୁ ଚର୍ଚ୍ଚିତ ଚେହେରା ଏବଂ ହେଭିୱେଟମାନେ ମତଦାନ କରିଛନ୍ତି। ତେବେ ଆଜି ମହାରାଷ୍ଟ୍ରରେ ୨୮୮ଟି ଆସନରେ ନିର୍ବାଚନ ହେଉଥିବା ବେଳେ ହରିୟାଣାରେ ୯୦ଟି ଆସନରେ ମତଗ୍ରହଣ ହେଉଛି। 

ଆଜି ବହୁ ହେଭିୱେଟ୍ ଏବଂ ଅଭିନେତାମାନେ ନିଜର ମତସାବ୍ୟସ୍ତ କରିବାକୁ ମତଦାନ କେନ୍ଦ୍ରରେ ପହଁଚିଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ରୋହତକରେ ଭୋଟ ଦେଇଛନ୍ତି। ବଲିଉଡର ଦିଗଜ ଅଭିନେତା ପ୍ରେମ ଚୋପଡା ଓ ସଙ୍ଗୀତକାର ଗୁଲଜାର ମୁମ୍ବାଇର ଏକ ପୋଲିଙ୍ଗ ବୁଥରେ ଭୋଟ ଦେଇଛନ୍ତି। ଏତଦ୍ ବ୍ୟତୀତ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମି ଏବଂ ପୁଅ ତେଜସ୍ ମୁମ୍ବାଇର ବାନ୍ଦ୍ରା ପୋଲିଙ୍ଗ୍ ବୁଥରେ ଭୋଟ ଦେଇଛନ୍ତି। ସେହି ସମୟରେ ଆଦିତ୍ୟ ଠାକରେ ବର୍ଲିରେ ଭୋଟ ଦେଇଛନ୍ତି। 

କରନାଲରେ ଭୋଟ ଦେବାପରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କି, ସମ୍ପୂର୍ଣ୍ଣ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ହେଉଛି। ମୁଁ ମୋର ଅଧିକାର ଉପଯୋଗ କରି ଲୋକତନ୍ତ୍ରର ଏକ ମୁଖ୍ୟ କର୍ତ୍ତବ୍ୟ ପାଳନ କରିଛି। ଆପଣମାନେ ମଧ୍ୟ ଆପଣଙ୍କର କର୍ତ୍ତବ୍ୟ ପାଳନ କରନ୍ତୁ। ଅପର ପକ୍ଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ତାଙ୍କ ପତ୍ନୀ ଅମୃତା ଓ ମା ସରିତାଙ୍କ ସହ ମତଦେବାକୁ ବୁଥରେ ପହଁଚିଥିଲେ। 

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ସମୁଦାୟ ୨୮୮ଟି ଓ ହରିୟାଣାରେ ୯୦ଟି ଆସନରେ ସକାଳ ୭ଟାରୁ ମତଗ୍ରହଣ ହେଉଛି। ସନ୍ଧ୍ୟା ୫ଟା ଯାଏଁ ମତଗ୍ରହଣ ହେବ। ମହାରାଷ୍ଟ୍ରର ୩,୨୩୭ ପ୍ରାର୍ଥୀ ଓ ହରିୟାଣାର ୧୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଉଭୟ ରାଜ୍ୟର ମତଦାତା। ତେବେ ମତଗ୍ରହଣ ପାଇଁ ମହାରାଷ୍ଟ୍ରରେ ୯୬,୬୬୧ଟି ପୋଲିଙ୍ଗ୍ ବୁଥ୍ କରାଯାଇଥିବା ବେଳେ ହରିୟାଣାରେ  ୧୯,୫୭୮ଟି ପୋଲିଙ୍ଗ୍ ବୁଥ କରାଯାଇଛି। ଉଭୟ ରାଜ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓବଂ ରାଜ୍ୟର ଯବାନମାନଙ୍କୁ ନିୟୋଜିତ କରାଯାଇଛି।