Home > ରାଜନୀତି
ଟିକେଟ୍ କଟିବାରୁ ଆପରେ ଲାଗିଲା ଇସ୍ତଫାର ପର୍ବ
Khabar Odisha:politics-odisha--aap-mla-adarsh-shastri-joins-congress
ନୂଆଦିଲ୍ଲୀ, ଜାନୁଆରୀ୧୮(ଖବର ଓଡ଼ିଶା):

ଆମ୍ ଆଦମୀ ପାର୍ଟି(ଆପ୍) ଚଳିତ ବିଧାନସଭା ନିର୍ବାଚନରେ ନିଜର ଅନେକ ବିଧାୟକଙ୍କୁ ଟିକେଟ୍ ଦେଇ ନାହିଁ। ଏଥିରେ ଅସନ୍ତୁଷ୍ଟ ହୋଇ ସେମାନଙ୍କର ଦଳ ଛାଡ଼ିବା ପର୍ବ ଜାରି ରହିଛି। ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କ ନାତି ତଥା ଦ୍ଵାରକା ଆସନରୁ ଆପ୍ ବିଧାୟକ ଆଦର୍ଶ ଶାସ୍ତ୍ରୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଅନ୍ୟପଟେ ହରିନଗରରୁ ବିଧାୟକ ଜଗଦୀପ ସିଂହ ମଧ୍ୟ ପାର୍ଟି ଛାଡ଼ିଛନ୍ତି। ସେ ବିଜେପିର ସହଯୋଗୀ ଅକାଳି ଦଳରେ ସାମିଲ ହେବାର ସମ୍ଭାବନା ରହିଛି।

ଦିଲ୍ଲୀ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସୁବାଷ ଚୋପ୍ରା ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ପି ସି ଚାକୋଙ୍କ ଉପସ୍ଥିତିରେ ଆଦର୍ଶ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। କୁହାଯାଉଛି ଯେ, ଶାସ୍ତ୍ରୀ ଏବେ କଂଗ୍ରେସର ଟିକେଟରେ ଦ୍ଵାରକ ଆସନରୁ ନିର୍ବାଚନ ଲଢ଼ି ପାରନ୍ତି। ଆପ୍ ଶାସ୍ତ୍ରୀଙ୍କ ଟିକେଟ୍ କାଟି ଏହି ଆସନରେ ବିନୟ ମିଶ୍ରଙ୍କୁ ଟିକେଟ୍ ଦିଆଯାଇଛି। ମିଶ୍ର କଂଗ୍ରେସର ଟିକେଟରେ ଚନରେ ଏହି ଆସନରୁ ଗତ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସର ପୂର୍ବତନ ସାଂସଦ ମହାବଳ ମିଶ୍ରଙ୍କ ପୁତ୍ର। 

ଅନ୍ୟପଟେ ହରି ନଗରରୁ ଟିକେଟ୍ ନମିଳିବାରୁ ଜଗଦୀପ ଆପ୍ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ସେମାନେ ବର୍ତ୍ତମାନର ସାଂସଦ ଉପରେ ଭରସା କଲେ ନାହିଁ, ନିକଟରେ କଂଗ୍ରେସରୁ ଆସି ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟକୁ ମଧ୍ୟ ବିରୋଧ କରିଥିଲି। ଏବେ ସେମାନେ କଂଗ୍ରେସରୁ ପାଞ୍ଚ ଜଣଙ୍କୁ ନେଇ ଆସିଛନ୍ତି।