Home > ରାଜନୀତି
ଜାନୁଆରୀ ୨୦ରେ ବିଜେପିକୁ ମିଳିବ ନୂତନ ସଭାପତି
Khabar Odisha:politics-odisha--jp-nadda-may-become-bjp-president-on-20th-january
ନୂଆଦିଲ୍ଲୀ, ଜାନୁଆରୀ୧୭(ଖବର ଓଡ଼ିଶା):

ଜେପି ନଡ୍ଡା ଜାନୁଆରୀ ୨୦ରେ ଭାରତୀୟ ଜନତା ପାର୍ଟି(ବିଜେପି)ର ସଭାପତି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାନୁଆରୀ ୨୦ରେ ହେବ। ଯଦି ଆବଶ୍ୟକ ପଡ଼େ ତେବେ ନିର୍ବାଚନ ଜାନୁଆରୀ ୨୧ରେ  ହେବ। ଆଉ କେହି ପ୍ରାର୍ଥୀ ନଥିବାରୁ ନଡ୍ଡା ନିଦ୍ଵର୍ନ୍ଦ୍ଵରେ ନିର୍ବାଚିତ ହେବାକୁ ଯାଉଛନ୍ତି। 

ଜଗତ ପ୍ରକାଶ ନଡ୍ଡାଙ୍କୁ ୨୦୧୯ ଜୁନରେ କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ନଡ୍ଡା ପାର୍ଟିର ୧୧ତମ ସଭାପତି ହେବା ନିଶ୍ଚିତ ଲାଗୁଛି। ସଂପ୍ରତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦଳର ସଭାପତି ଅଛନ୍ତି। ଶାହା କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ପାର୍ଟିର କାର୍ଯ୍ୟ ସମ୍ଭାଳିବା ପାଇଁ ନଡ୍ଡାଙ୍କୁ ତାଙ୍କର ସହଯୋଗୀ କରାଯାଇଥିଲା। 

ଜେପି ନଡ୍ଡା ଛାତ୍ର ରାଜନୀତି ସମୟରେ ଏବିଭିପି ସହ ଜଡ଼ିତ ଥିଲେ ଏବଂ ସଂଗଠନର ବିଭିନ୍ନ ପଦରେ ରହି ପ୍ରଥମ ଥର ୧୯୯୩ରେ ହିମାଚଳ ପ୍ରଦେଶର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ରାଜ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ। ୫୮ ବର୍ଷୀୟ ନଡ୍ଡାଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ଦାୟିତ୍ଵ ଦିଆଯାଇଥିଲା। ଏଠାରେ ଏସପି-ବିଏସପି ମେଣ୍ଟ ପରେ ମଧ୍ୟ ୮୦ ଆସନରୁ ବିଜେପି ୬୨ ଆସନରେ ବିଜୟ ହାସଲ କରିଥିଲା। ତିନି ଥର ବିଧାୟକ ରହିଥିବା ନଡ୍ଡା ରାଜ୍ୟସଭାରେ ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ଵ କରିଥିଲେ।