Home > ରାଜନୀତି
ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ
Khabar Odisha:politics-odisha-maharashtra-governor-invites-devendra-fadnavis-to-form-govt-and-prove-majority-by-11th-november
ମୁମ୍ବାଇ, ନଭେମ୍ବର ୦୯(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ସରକାର ଗଠନ ନାଟକୀୟ ମୋଡ଼ ନେବାରେ ଲାଗିଛି। ଗୋଟିଏ ପଟେ ବିଜେପି ଓ ଶିବସେନା ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଥିବା ବେଳେ ଅନ୍ୟପଟେ ରାଜ୍ୟପାଳ ଭଗତ ସିଂହ କୋସୟାରୀ ଶନିବାର ସନ୍ଧ୍ୟାରେ ବିଜେପିକୁ ସବୁଠୁ ବଡ଼ ପାର୍ଟି ଭାବେ ସରକାର ଗଠନ କରିବାକୁ ଆମନ୍ତ୍ରିତ କରିଛନ୍ତି। ବିଜେପିକୁ ନଭେମ୍ବର ୧୧ ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସମୟ ଦିଆଯାଇଛି। ଦେବେନ୍ଦ୍ର ଫଡ଼ଣବିସ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହା ପୂର୍ବରୁ ଶିବସେନା ଦାବି କରିଥିଲା ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ମେଣ୍ଟ ସହଯୋଗୀ ନିଜର କାର୍ୟ୍ୟ କାଳରେ ଅଢ଼େଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ପଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଦେବା ପରେ ଶିବସେନା ଦାବିକୁ ଖଣ୍ଡନ କରି ଫଡ଼ଣବିସ କହିଛନ୍ତି ଯେ, ମୋ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦର ଅବଧି ଅଧା-ଅଧା କରିବା ନେଇ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା। 

ଅନ୍ୟପଟେ ଶିବସେନାକୁ ନିଜର ବିଧାୟକ ବିଜେପି ଗୋଷ୍ଠୀରେ ସାମିଲ ହେବାର ମଧ୍ୟ ଡର ରହିଛି। ଘୋଡ଼ା ବେପାର ଭୟରେ ଶିବସେନା ନିଜର ବିଧାୟକଙ୍କୁ ବାନ୍ଦ୍ରାର ରଙ୍ଗଶାରଦ  ହୋଟେଲରୁ ମାଧ ଆଇଲାଣ୍ଡର କୌଣସି ଏକ ରିସର୍ଟରେ ନଭେମ୍ବର ୧୫ ଯାଏ ରଖିଛି। ଏହି ପରି କଂଗ୍ରେସ ମଧ୍ୟ ବିଜେପିର କିଣାବିକା ଭୟରେ ନିଜର ବିଧାୟକଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରିଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ ଲାଗି ବହୁମତଠୁ ବହୁ ଦୂରରେ ରହିଛି।  ବିଜେପି ମହାରାଷ୍ଟ୍ରରେ ୧୦୫ ଆସନ ଜିତିଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪୫।  ଅର୍ଥାତ ବିଜେପିକୁ ଆହୁରି ୪୦ ବିଧାୟକଙ୍କ ସମର୍ଥନ ଜରୁରୀ। ଶିବସେନାକୁ ୫୬ଟି ଆସନ ମିଳିଥିବା ବେଳେ ଏନସିପି ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଛି। ଅନ୍ୟାନଙ୍କ ଖାତାକୁ ୨୯ଟି ଆସନ ଯାଇଛି। ଯଦି ବି ନିର୍ଦ୍ଦଳୀୟଙ୍କ ସମର୍ଥନ ମିଳେ ତେବେ ମଧ୍ୟ ବିଜେପି ସ୍ପଷ୍ଟ ବହୁମତଠୁ ବହୁ ଦୂରରେ ରହିଛି।