Home > ରାଜନୀତି
ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ ସଭାପତି ଅଶୋକ ତନଓ୍ଵର
Khabar Odisha:politics-odisha-ashok-tanwar-quits-congress-after-alleged-party-of-selling-assembly-election-tickets
ଚଣ୍ଡିଗଡ଼, ଅକ୍ଟୋବର୦୫(ଖବର ଓଡ଼ିଶା):

 ହରିୟାଣା ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଅଶୋକ ତନଓ୍ଵର ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସେ ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି। ଦଳୀୟ ଟିକେଟ୍ ବଣ୍ଟନ ନେଇ ସେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନରେ ଟିକେଟ୍ ନିଲାମ କରାଯାଉଥିବା ପାର୍ଟିର ନୂତନ ରାଜ୍ୟ ଅଧ୍ୟକ୍ଷ କୁମାରୀ ସୈଲଜାଙ୍କ ଉପରେ ଆରୋପ ଲଗାଇଥିଲେ। ଏହାର ପ୍ରତିବାଦରେ ସେ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଦିନରେ ତାଙ୍କୁ ଦଳର ତାରକା ପ୍ରଚାର ତାଲିକାରେ ସାମିଲ କରାଯାଇଥିଲା। ମାତ୍ର ଆଜି ସେ ବଡ଼ ନିଷ୍ପତ୍ତି ନେଇ ପାର୍ଟିରୁ ବାହାର ହୋଇଯାଇଛନ୍ତି।

ଶନିବାର ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଲମ୍ବା ସମୟ ବିଚାର-ବିମର୍ଶ କରିବା ପରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଇସ୍ତଫା ଦେବାର କାରଣ କଂଗ୍ରେସ ଓ ଜନତା ବେଶ୍ ଭଲଭାବେ ଜାଣିଛନ୍ତି। ଉଲ୍ଲେଖଯୋଗ୍ୟ, ତନଓ୍ଵର ପୁରୁଖା ନେତାଙ୍କୁ ଅଣଦେଖା କରି ଦଳରେ ନୂତନ ଭାବେ ସାମିଲ ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯାଉଥିବା ଆରୋପ ଲଗାଇଥିଲେ। ଏହା ସହିତ ୫ କୋଟି ଟଙ୍କାରେ ଦଳୀୟ ଟିକେଟ୍ ନିଲାମ କରାଯାଉଥିବା ଅଭିଯୋଗ କରିଥିଲେ। 

କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ବିଦ୍ରୋହୀ ତନଓ୍ଵର ଏବଂ ତାଙ୍କର ସମର୍ଥକ ଗତ ବୁଧବାର ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସେ କହିଥିଲେ ଯେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଝାଳବୁହା ପରିଶ୍ରମ କରିଥିଲୁ। ଆମେ ପାର୍ଟି ପାଇଁ ସମର୍ପିତ ଥିଲୁ ମାତ୍ର ଆମକୁ ପ୍ରାର୍ଥୀ ନକରାଯାଇ ପୂର୍ବେ ଯେଉଁମାନେ କଂଗ୍ରେସକୁ ସମାଲୋଚନା କରୁଥିଲେ ଏବଂ ନିକଟରେ ଦଳରେ ଯୋଗ ଦେଇଛନ୍ତି, ସେମାନଙ୍କୁ ବିଧାନସଭା ଟିକେଟ୍ ଦିଆଯାଇଛି। 

ନିକଟରେ ଅଶୋକ ତନଓ୍ଵର କଂଗ୍ରେସ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ଵରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ଜଣେ ସାଧାରଣ କର୍ମୀ ଭାବେ କାମ କରିବି ବୋଲି କହିଥିଲେ। ପାର୍ଟିର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେବା ପୂର୍ବରୁ ସେ ଟ୍ଵିଟର ଜରିଆରେ ସମସ୍ତ ପଦରୁ ଇସ୍ତଫା ଦେବା ସୂଚନା ଦେଇଥିଲେ।