Home > ରାଜନୀତି
ଦିଲ୍ଲୀ ନିର୍ବାଚନ: ବିଜେପି ଘୋଷଣା କଲା ୫୭ ପ୍ରାର୍ଥୀଙ୍କ ନାମ, କପିଳ ମିଶ୍ରଙ୍କୁ ମିଳିଲା ଟିକେଟ୍
Khabar Odisha:politics-odisha-bjp-announce-candidates-for-delhi-assembly-election-2020
ନୂଆଦିଲ୍ଲୀ, ଜାନୁଆରୀ୧୭(ଖବର ଓଡ଼ିଶା):

ଭାରତୀୟ ଜନତା ପାର୍ଟି(ବିଜେପି) ଦିଲ୍ଲୀ ବିଧାନସଭା ପାଇଁ ୫୭ ପ୍ରାର୍ଥୀଙ୍କ ନାମ ଘୋଷଣା  କରିଛି। ଏଥିରେ ୧୧ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର ହୋଇଥିବା ବେଳେ ୪ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। ଆମ୍ ଆଦମୀ ସରକାରରେ ପୂର୍ବରୁ ମନ୍ତ୍ରୀ ରହିଥିବା କପିଳ ମିଶ୍ରଙ୍କୁ ମଧ୍ୟ ପାର୍ଟି ପ୍ରାର୍ଥୀ କରିଛି। ବିଜେପି ରାଜ୍ୟ  ସଭାପତି ମନୋଜ ତିଓ୍ଵାରୀ ପ୍ରାର୍ଥୀ ତାଲିକା ଘୋଷଣା କରି କହିଛନ୍ତି ଯେ, ବାକି ଆସନରେ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେ ଦାବି କରିଛନ୍ତି ଯେ, ବିଜେପି ଏଥର ଦିଲ୍ଲୀରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବ। 

ମନୋଜ ତିଓ୍ଵାରୀ ପ୍ରାର୍ଥୀ ତାଲିକା ଘୋଷଣା କରି କହିଛନ୍ତି ଯେ, ଗୁରୁବାର ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ପ୍ରାର୍ଥୀଙ୍କ ନାମରେ ମୋହର ବାଜିଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କାର୍ୟ୍ୟରକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଦିଲ୍ଲୀ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଦିଲ୍ଲୀ ବିଧାନସଭାର ଆସନ ସଂଖ୍ୟା ୭୦।

ଏହା ପୂର୍ବରୁ କ୍ଷମତାଧାରୀ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ଦିଲ୍ଲୀରେ ଫେବୃଆରୀ ୮ରେ ମତଦାନ ଏବଂ ୧୧ରେ ଫଳାଫଳ ଘୋଷିତ ହେବ। ରାଜଧାନୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି। ଆମ୍ ଆଦମୀ ପାର୍ଟି ତୃତୀୟ ଥର କ୍ଷମତା ହାତେଇବାକୁ ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପୂରା ଦମରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରିଛନ୍ତି।