Home > ରାଜନୀତି
ବିଜେପି-ଶିବସେନା ମତଭେଦ ଦୂର, କାଲି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ନେତା
Khabar Odisha:politics-odisha-bjp-shiv-sena-iron-out-differences-bjp-to-meet-the-governor-tomorrow
ମୁମ୍ବାଇ,ନଭେମ୍ଵର୦୬(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ଛକାପଞ୍ଝା ଉପରେ ପଡ଼ିଛି ବିରାମ। ଦୁଇ ଦଳ ବିଜେପି ଓ ଶିବସେନା ମଧ୍ୟରେ ଅର୍ଦ୍ଧେକ କ୍ଷମତା ନେଇ ଜାରି ଗତିରୋଧ ଦୂର ହୋଇଛି। ଉଭୟ ଦଳର ବରିଷ୍ଠ ନେତା ସାକ୍ଷାତ କରି ପରସ୍ପର ମଧ୍ୟରେ ଥିବା ମତଭେଦ ଦୂର କରିଛନ୍ତି। ଏହି ସାକ୍ଷାତ ପରେ ବିଜେପି ନେତା ସୁଧୀର ମୁନଗଣ୍ଟିଓ୍ଵାର କହିଛନ୍ତି ଯେ, ରାଜ୍ୟରେ ଶତ ପ୍ରତିଶତ ବିଜେପି ଓ ଶିବସେନା ମେଣ୍ଟର ସରକାର ଗଠନ ହେବାକୁ ଯାଉଛି। ଏହି ବାବଦରେ ବିଜେପି ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ।

ବୈଠକ ପରେ ମୁନଗଣ୍ଟିଓ୍ଵାର କହିଛନ୍ତି ଯେ, ମହାରାଷ୍ଟ୍ରର ଜନତା ମେଣ୍ଟକୁ ଜନାଦେଶ ଦେଇଛନ୍ତି। ବିଜେପି- ଶିବସେନା ଓ ଏହାର ସହଯୋଗୀ ଦଳ ଲାଗି ଭୋଟ୍ ମଗାଯାଇଥିଲା। ଜନତା ଆମ ଉପରେ ଭରସା ପ୍ରକଟ କରି ନିଜର ଆଶୀର୍ବାଦ ଦେଇଛନ୍ତି। ସରକାର ହେବ ତ ବିଜେପି ଓ ଶିବସେନା ମେଣ୍ଟର ହିଁ ହେବ। ସରକାର ଗଠନ ନେଇ ଆସନ୍ତାକାଲି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ପାଟିଲ ଗୁରୁବାର ସକାଳେ ରାଜ୍ୟପାଳ ଭଗତ ସିଂହ କୋସରିୟାଙ୍କୁ ସାକ୍ଷାତ କରିବେ। 

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଫଳାଫଳ ପରଠୁ ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ଉତ୍ପନ ମତଭେଦ ପରେ ଉଭୟ ଦଳର ବଡ଼ ନେତାଙ୍କ ଏହା ପ୍ରଥମ ବୈଠକ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଶିବସେନାର ବିଧାୟକ ଦଳର ନେତା ଏକନାଥ ସିନ୍ଧେ ଓ ବରିଷ୍ଠ ନେତା ରାମଦାସ କଦମଙ୍କ ସମେତ ଶିବସେନାର ମୋଟ୍ ୬ ମନ୍ତ୍ରୀ ଉପସ୍ଥିତ ଥିଲେ। ସୂତ୍ର ଅନୁଯାୟୀ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟରେ ନୂତନ ସରକାର ଗଠନ ହୋଇଯିବ।

ଅପରପକ୍ଷେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଧ୍ୟକ୍ଷ ଶରଦ ପାଓ୍ଵାର ପୁଣି ଥରେ ସରକାର ଗଠନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଶରଦ ପାଓ୍ଵାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଆମକୁ ସରକାର ଗଠନ ନେଇ କୌଣସି ପ୍ରସ୍ତାବ ମିଳିନାହିଁ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉନାହିଁ। ବିଜେପି ଓ ଶିବସେନାର ୨୫ ବର୍ଷର ମେଣ୍ଟ ଏବଂ ସେମାନଙ୍କୁ ସରକାର ଗଠନ କରିବାକୁ ଦିଆଯାଉ। ମହାରାଷ୍ଟ୍ରର ଜନତା ଆମକୁ ଯେଉଁ ଆଦେଶ ଦେଇଛନ୍ତି ତଦନୁଯାୟୀ କଂଗ୍ରେସ, ଏନସିପି ବିରୋଧୀ ଆସନରେ ବସିବ। ସରକାର ଗଠନ ଉପରେ ଯେଉଁ ଗତିରୋଧ ରହିଛି ତାକୁ ଦୂର କରିବା ଉଚିତ୍ ଓ ସେନା –ବିଜେପିକୁ ସରକାର ଗଠନ କରିବାକୁ ଦେବା ଉଚିତ୍। 

ଏମିତି ରହିଛି  ଗଣିତ

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୪ରେ ରାଜ୍ୟ ବିଧାନସଭାର ଫଳାଫଳରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା। ବିଜେପି ଓ ଶିବସେନା ମେଣ୍ଟ ବହୁମତ ଲାଗି ଆବଶ୍ୟକ ୧୪୫ ରୁ ଅଧିକ ଆସନ ୧୬୧ଟି ଜିତିଥିଲେ। ମାତ୍ର ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିଲା। ନିର୍ବାଚନରେ ୧୦୫ ଆସନ ସହିତ ବିଜେପି ସବୁଠୁ ବଡ଼ ଦଳ ରୂପେ ଆର୍ବିଭାବ ହୋଇଥିଲା। ଶିବସେନା ୫୬, ଏନସିପି  ୪୫ ଓ କଂଗ୍ରେସକୁ ୪୪ ଆସନ ମିଳିଥିଲା। ଶିବସେନା ମୁଖ୍ୟମନ୍ତ୍ରୀ ଅବଧି ଅଧା-ଅଧା କରିବା ଓ ଅର୍ଦ୍ଧେକ କ୍ଷମତା ଦାବି କରିଥିଲା, ଯାହାକୁ ବିଜେପି ଏଡ଼ାଇ ଦେଇଥିଲା। ଦୁଇ ଦଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ନିଜ ଜିଦରେ ଅଟଳ ରହିଥିଲେ।