Home > ରାଜନୀତି
ବିଜେପି-ଶିବସେନା ମେଣ୍ଟ ନେଇ ହେଲା ଆନୁଷ୍ଠାନିକ ଘୋଷଣା, ବିଦ୍ରୋହୀଙ୍କୁ ମିଳିଲା କଡ଼ା ସନ୍ଦେଶ
Khabar Odisha:politics-odisha-devendra-fadnavis-and-uddhav-thackeray-announces-formal-alliance-of-bjp-and-shivsena-for-maharashtra-election
ମୁମ୍ବାଇ,ଅକ୍ଟୋବର୦୪(ଖବର ଓଡ଼ିଶା):

 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଓ ଶିବସେନା ଆଜି ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ୍ ଓ ଉଦ୍ଧବ ଠାକେରା ସାମ୍ବାଦିକ ସମ୍ମିଳନୀ କରି ଆସନ ଭାଗବଣ୍ଟା ଘୋଷଣା କରିଛନ୍ତି। ବିଜେପି ୧୫୦ ଓ ଶିବସେନା ୧୨୪ ଆସନରେ ନିର୍ବାଚନ ଲଢିବେ। ବାକି ୧୪ଟି ଆସନରେ ସହଯୋଗୀ ଦଳ ଲଢିବେ। ଦୁଇ ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଦ୍ରୋହୀଙ୍କୁ କଡ଼ା ସନ୍ଦେଶ ଦେବା ସହିତ ମେଣ୍ଟ ସ୍ପଷ୍ଟ ବହୁମତ ସହ କ୍ଷମତାସୀନ ହେବ ବୋଲି ବିଶ୍ଵାସ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଚାରଧାରାର ସମାନତା ଉପରେ ଜୋର ଦେଇ କହିଛନ୍ତି ଯେ, ହିନ୍ଦୁତ୍ଵ ବିଚାରଧାରା ଦୁଇ ପାର୍ଟିକୁ ଏକଜୁଟ କରୁଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ୍  ପାର୍ଟି ପୁଣି ଥରେ ନିର୍ବାଚନ ଜିତି ସରକାର ଗଠନ କରିବା ବିଶ୍ଵାସ ପ୍ରକାଶ କରି କହିଛନ୍ତି ଯେ, ବିଜେପି ଓ ଶିବସେନା ଦୁଇ ପାର୍ଟି ଏକତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏକାଠି ମିଶି ନିର୍ବାଚନ ଲଢିବେ। ଆମେ ସବୁ ବର୍ଗର ଲୋକଙ୍କୁ ସୁଯୋଗ ଦେଇଛୁ। ଏହି ନିର୍ବାଚନ ଆମେ ପ୍ରଚଣ୍ଡ ଜନାଦେଶ ସହ ଜିତିବୁ। ଆମେ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢିବୁ। ମହାରାଷ୍ଟ୍ରର ବିକାଶ ଆମର ଲକ୍ଷ୍ୟ। 

ଏହି ସମୟରେ ମୁଖ୍ୟମନ୍ତ୍ରୀ ଫଡ଼ଣବିସ ବିଦ୍ରୋହୀଙ୍କୁ କଡ଼ା ସନ୍ଦେଶ ଦେଇ କହିଛନ୍ତି ଯେ, ଅନେକ ଲୋକଙ୍କୁ ଲାଗୁଥିଲା ଯେ ମେଣ୍ଟ ହେବ ନା ନାହିଁ। ଏହି ମେଣ୍ଟ ପାଇଁ ସମସ୍ତେ ସାଲିସ୍ କରିଛନ୍ତି। ଆଗାମୀ ଦିନରେ ସମସ୍ତ ବିଦ୍ରୋହୀଙ୍କୁ ନିଜର ନାମ ଫେରାଇ ନେବାକୁ କହିବୁ। ଏହି କାମ ମେଣ୍ଟର ସମସ୍ତ ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କ ସହିତ ହେବ। ଯଦି ସେମାନେ ନମାନନ୍ତି ତେବେ ସେମାନଙ୍କୁ ମେଣ୍ଟରେ କୌଣସି ବି ପାର୍ଟିରେ କୌଣସି ସ୍ଥାନ ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଭରସା ଦେଇଛନ୍ତି ଯେ ଦୁଇ ଦିନରେ ବିଦ୍ରୋହୀଙ୍କୁ ମନାଇ ନେବେ। 

ଏଥର ନିର୍ବାଚନରେ ଠାକେରା ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିତ୍ୟ ଠାକରେ ଏଥର ନିର୍ବାଚନୀ  ମଇଦାନରେ ଅଛନ୍ତି। ମୁଁ ଜନତାଙ୍କୁ ଅପିଲ କରୁଛି ଯେ ଆଦିତ୍ୟଙ୍କୁ ସବୁଠୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାନ୍ତୁ। ସେ ଜିତିବେ ଏବଂ ବିଧାନସଭାରେ ଏକାଠି ବସିବୁ। ଆଦିତ୍ୟ ବର୍ଲି ଆସନରୁ ପ୍ରତିଦ୍ଵନ୍ଦିତା କରୁଛନ୍ତି।

ଦୀର୍ଘ ସମୟ ଧରି ମହାରାଷ୍ଟ୍ରରେ ବଡ଼ ଭାଇର ଭୂମିକାରେ ରହୁଥିବା ଶିବସେନା ଏବେ ମେଣ୍ଟରେ ସେହି ଭୂମିକା ନାହିଁ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ ସମାନତା ଉପରେ ଜୋର ଦେଇ କହିଛନ୍ତି ଯେ, ପ୍ରଥମେ ମେଣ୍ଟ ଉପରେ ପ୍ରଶ୍ନ ଉଠୁଥିଲା। ମାତ୍ର ବିଜେପି-ଶିବସେନା ଭାଇ ଭାଇ। ଏଥିରେ ବଡ଼ ଏବଂ ଛୋଟ ଭାଇ ପରି କିଛି ନାହିଁ। ଆମକୁ ଏକାଠି ହୋଇ ମହାରାଷ୍ଟ୍ରର ବିକାଶ ଓ ପ୍ରଗତି ପାଇଁ କାମ କରିବାକୁ ପଡ଼ିବ। ଅକ୍ଟୋବର ୨୧ରେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ।