Home > ରାଜନୀତି
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡ଼ଣବିସ, କହିଲେ ଶିବସେନା ସହିତ ୫୦-୫୦ ଫର୍ମୁଲା ନେଇ ହୋଇନଥିଲା ଆଲୋଚନା
Khabar Odisha:politics-odisha-devendra-fadnavis-resign-on-maharashtra-chief-minister-post
ମୁମ୍ବାଇ,ନଭେମ୍ବର୦୮(ଖବର ଓଡ଼ିଶା):

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ବିତି ସାରିଥିଲେ ମଧ୍ୟ ସରକାର ଗଠନ ନେଇ ରାଜ୍ୟରେ ଅଚଳାବସ୍ଥା ଜାରି ରହିଛି। ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଅଙ୍କ ନଛିଣ୍ଡିବାରୁ ନୂତନ ସରକାର ଗଠନ ହୋଇ ପାରିନାହିଁ। ଅନ୍ୟ ପକ୍ଷେ ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। କିନ୍ତୁ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ରହିବେ। ସରକାର ଗଠନ ନହେବା ଜନାଦେଶ ପ୍ରତି ଅପମାନ। ସହଯୋଗୀ ଶିବସେନା ଉପରେ ହମଲା କରି ଫଡ଼ଣବିସ କହିଛନ୍ତି ଯେ ନିର୍ବାଚନ ଆମ ସହିତ ଜିତିଲେ କିନ୍ତୁ ଆଲୋଚନା ଏନସିପି ସହ କରୁଛନ୍ତି।

ମହାରାଷ୍ଟ୍ର ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋସୟାରୀଙ୍କୁ ଇସ୍ତଫା ଦେବା ପରେ ରାଜ୍ୟରେ କିଏ ସରକାର ଗଠନ କରିବ ସେ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଇସ୍ତଫା ଦେବା ପରେ ପ୍ରେସମିଟ୍ କରି ଫଡ଼ଣବିସ କହିଛନ୍ତି ଯେ, ନିର୍ବାଚନରେ ଆମକୁ କିଛି କମ ଆସନ ମିଳିଛି। ଏହି ଜନାଦେଶ ଏନଡିଏକୁ ମିଳିଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଶିବସେନା ସହିତ ମୁଖ୍ୟମନ୍ତ୍ରୀ ପଦର ଅବଧି ଅଧା-ଅଧା କରିବା ନେଇ କୌଣସି ଆଲୋଚନା ହୋଇନଥିଲା। କେବେ ବି ଏହା ସ୍ଥିର  ହୋଇନଥିଲା ଯେ ଅଢ଼େଇ ଅଢ଼େଇ ବର୍ଷ ଯାଏ ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିବେ। ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ଓ ନୀତିନ ଗଡ଼କରୀ ମଧ୍ୟ ଏହି ପରି ମଧ୍ୟ କିଛି ଆଲୋଚନା ଶିବସେନା ସହ ହୋଇନଥିବା କହିଛନ୍ତି। 

ଫଡ଼ଣବିସ କହିଛନ୍ତି ଯେ, ଯଦି ଏମିତି କିଛି ରାଜିନାମା ହୋଇଥାନ୍ତା  ତେବେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିଥାନ୍ତୁ। ଉଦ୍ଧବଙ୍କ ସହିତ ମୋର ବହୁତ ଭଲ ସମ୍ବନ୍ଧ। ମୁଁ ତାଙ୍କୁ ଫୋନ କରିଥିଲି ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ। ସେମାନେ ଆମ ସହ ଆଲୋଚନା କରିବା ପରିବର୍ତ୍ତେ ଏନସିପି ଓ କଂଗ୍ରେସ ସହିତ କରୁଛନ୍ତି। 

ଶିବସେନା ଉପରେ ଭୁଲ ବୟାନବାଜି କରୁଥିବା ଆରୋପ ଲଗାଇ ଫଡ଼ଣବିସ କହିଛନ୍ତି ଯେ, ଫଳାଫଳ ଆସିବା ପରଠୁ ଶିବସେନାର କିଛି ନେତା ଯେଉଁଭଳି ବୟାନବାଜି କରୁଛନ୍ତି, ତାର ଜବାବ ମଧ୍ୟ ଦେଇ ପାରିବୁ ମାତ୍ର ଆମର ଏହି ପରି ସଂସ୍କୃତି ନାହିଁ। ଆମେ ବାଲା ସାହେବ ଠାକରେଙ୍କ ବିରୋଧରେ ଚିନ୍ତା ମଧ୍ୟ କରି ପାରିବୁ ନାହିଁ।  ମୋଦୀ ମଧ୍ୟ କେବେ ବି ଉଦ୍ଧବ ଠାକରେଙ୍କ ବିରୋଧରେ ପଦୁଟିଏ କହି ନାହାନ୍ତି। 

ଫଡ଼ଣବିସ କହିଛନ୍ତି ଯେ, ରାଜ୍ୟପାଳ ମୋର ଇସ୍ତଫା ସ୍ଵୀକାର କରିଛନ୍ତି। ଏହା ସହିତ ମୋତେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସମ୍ଭାଳିବାକୁ କହିଛନ୍ତି। ସେ ଦାବି କରିଛନ୍ତି ଯେ, ଯେବେ ବି ରାଜ୍ୟରେ ସରକାର ହେବ ତାହା ବିଜେପି ନେତୃତ୍ଵରେ  ହିଁ ହେବ। 

ଆମେ ୫ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିକାଶ ଲାଗି କାମ କରିଛୁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି। ଆମ ସହିତ କାମ କରିଥିବା ମନ୍ତ୍ରୀ ଓ ସାଥୀ ଓ ଉଦ୍ଧବଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଚାଷୀଙ୍କ ହିତଲାଗି ଉଦ୍ଦିଷ୍ଟ ଯୋଜନା ଉପରେ ନିଷ୍ଠାପର ସହ କାମ କରିଛି। ଜଳସେଚନ ପ୍ରକଳ୍ପକୁ ଅଗ୍ରାଧିକାର ଦେଇଛି ଓ ନୂତନ ଯୋଜନାକୁ କାର୍ୟ୍ୟାକାରୀ କରିଛି।

ଫଡ଼ଣବିସ କହିଛନ୍ତି ଯେ, ପାଞ୍ଚ ବର୍ଷର କାର୍ଯ୍ୟକାଳରେ ଆମେ ଜନତାଙ୍କ ବିକାଶ ଲାଗି ବହୁତ କାମ କରିଛୁ। ଏହି କାମ ଯୋଗୁଁ ଜନତା ପୁଣି ଥରେ ଏନଡିଏ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି। ଶିବସେନା ସହିତ ୫୦-୫୦ ଫର୍ମୁଲା ଉପରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦର ଅବଧି ଅଧା-ଅଧା କରିବା ନେଇ କୌଣସି ଆଲୋଚନା  ହୋଇନଥିଲା। ମହାରାଷ୍ଟ୍ରରେ ଜାରି ଗତିରୋଧ ଲାଗି ଫଡ଼ଣବିସ ଶିବସେନାକୁ ଦାୟୀ କରିଛନ୍ତି। ବିଜେପି ନୁହଁ ଶିବସେନା ଆଲୋଚନା କରିବାକୁ ଚାହିଁନଥିବା ସେ କହିଛନ୍ତି।