Home > ରାଜନୀତି
ମହାରାଷ୍ଟ୍ର-ହରିୟାଣାରେ ଥମିଲା ବିଧାନସଭା ନିର୍ବାଚନ ପ୍ରଚାର, ୨୧ରେ ମତଦାନ, ୨୪ରେ ଫଳାଫଳ
Khabar Odisha:politics-odisha-election-campaign-end-in-maharashtra-and-haryana-polling-on-october-21
ନୂଆଦିଲ୍ଲୀ, ଅକ୍ଟୋବର୧୯(ଖବର ଓଡ଼ିଶା):

 ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟା ୫ଟାରେ ପ୍ରଚାର ଥମିଛି। ଅକ୍ଟୋବର ୨୧ ଅର୍ଥାତ ସୋମବାର ଉଭୟ ରାଜ୍ୟରେ ମତଦାନ ହେବ ଏବଂ ଭୋଟ୍ ଗଣତି ଅକ୍ଟୋବର ୨୪ରେ ହେବ।

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ ଆସନରେ ମତଦାନ ହେବ। ସଂପ୍ରତି ଏହି ଦୁଇ ରାଜ୍ୟରେ ଏବେ ବିଜେପି ସରକାର ରହିଛି। ଲୋକସଭା ନିର୍ବାଚନରେ ମଧ୍ୟ ଏହି ଦୁଇ ରାଜ୍ୟରେ ବିଜେପି ଏବଂ ତାର ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିଥିଲେ। ହରିୟାଣାରେ ବିଜେପି ସମସ୍ତ ଆସନ୍ ଜିତି କଂଗ୍ରେସକୁ ମୂଳପୋଛ  କରିଥିଲା। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ଓ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ମୁକାବିଲା  ହେଉଛି। ବିଜେପି ଏଠାରେ ୧୪୮ଟି ଆସନ, ଶିବସେନା ୧୨୬ ଏବଂ ବାକି ୧୪ଟିରେ ସହଯୋଗୀ ଦଳ ନିର୍ବାଚନ ଲଢୁଛନ୍ତି। ମାତ୍ର ୨୦୧୪ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ହୋଇ ନିର୍ବାଚନ ଲଢିଥିଲେ।  ବିଜେପି ୧୨୨ ଓ ଶିବସେନା ୬୩ଟି ଆସନରେ ବିଜୟୀ ହୋଇଥିଲେ। ଏହା ପରେ ଉଭୟ ମିଶି ସରକାର ଗଠନ କରିଥିଲେ। ଉକ୍ତ ନିର୍ବାଚନରେ କଂଗ୍ରେସ ୨୭ ଓ ଏନସିପି ୨୯ଟି ଆସନରେ ବିଜୟୀ ହୋଇଥିଲା। ଲୋକସଭା ନିର୍ବାଚନରେ ୪୮ଟି ଆସନରୁ ବିଜେପି ଓ ଶିବସେନା ୪୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୬ ଓ ଏନସିପି ଗୋଟିଏ ଆସନ ହାତେଇବାରେ ସଫଳ ହୋଇଥିଲେ। 

ହରିୟାଣାରେ ଅକ୍ଟୋବର ୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସଂଲଗ୍ନ ସୀମାକୁ ଦିଲ୍ଲୀ ପୋଲିସ୍ ସିଲ୍ କରି ଦେଇଛି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶୁଷ୍କ ଦିବସ ସମୟରେ ମଦର ବେଆଇନ ପରିବହନ ରୋକିବ ପାଇଁ ଦିଲ୍ଲୀ-ହରିୟାଣା ସୀମାରେ ଯାନବାହାନର ଯାଞ୍ଚ ଆରମ୍ଭ  ହୋଇ ଯାଇଛି।