Home > ରାଜନୀତି
ଘର କରାଇବା ନାଁରେ ବିଜେଡି ବିଧାୟକ ନେଉଛନ୍ତି ୨୧ ହଜାର ଟଙ୍କା ପିସି: ବିଜେପି
Khabar Odisha:politics-odisha-on-the-name-of-house-building-bjd-mla-taking-21-thousanders-rupees-from-beneficiary-alleged-bjp
ଭୁବନେଶ୍ୱର, ଅକ୍ଟୋବର୧୦(ଖବର ଓଡ଼ିଶା):

ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ବିଜେପି ପକ୍ଷରୁ ଗୁରୁବାର ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ନେତୃବୃନ୍ଦ ରାଜ୍ୟସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତିବାଦ କରିଥିଲେ। 

ଓଡିଶାବାସୀଙ୍କ ସ୍ୱାର୍ଥ ଏବଂ ହକ ପାଇଁ ବିଜେପି ଲଢେଇ ଜାରି ରଖିଛି। ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାରୀ, ଚଂଚକତା ପୂର୍ଣ୍ଣ ବ୍ୟବହାର ବିରୁଦ୍ଧରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ।  ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାରକୁ ପ୍ରସୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାଙ୍କାକ୍ଷୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି । ଏହି ଯୋଜନାକୁ ଚଂଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥି ଓ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।

ଏହା ପରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୭୦ ଜଣିଆ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିନିଧୀଦଳକୁ ପ୍ରତିଶୃତି ଦେଇଛନ୍ତି । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର  ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।  ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଂଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଂଟନ କରୁଛନ୍ତି । ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଂଚକତା ରହିଛି । ତାର ଯେଉଁ ବିଜ୍ଞାପନ ବାହାରିଲା ସେ ବିଜ୍ଞାପନରେ ଗୋଟିଏ କୌଣସି ଜାଗାରେ ଲେଖା ହୋଇନି ଯେ,ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ହେଉଛି । 

ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି । ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟାକିଙ୍ଗ୍ ହେବ ନିଷ୍ପତି ହୋଇଛି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି ବୋଲି ପ୍ରତିନିଧୀ ଦଳ ଅଭିଯୋଗ କରିଛି । 

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍‌ଏସି, ମ୍ୟୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲା । ଏହା ପରେ ବି ରାଜ୍ୟସରକାର ଏଭଳି ଅନିୟମିତତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।