Home > ରାଜନୀତି
ରାତି ପାହିଲେ ବିଜେପୁର ନିର୍ବାଚନ, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର
Khabar Odisha:politics-odisha-tomorrow-bijepur-by-election-2-lakhs-voters-voting-for-5-candidate
ଭୁବନେଶ୍ୱର, ଅକ୍ଟୋବର୨୦(ଖବର ଓଡ଼ିଶା):

ସକାଳ ପାଇଲେ ବିଜେପୁର ଉପ ନିର୍ବାଚନ। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ବିଜେପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ବ୍ୟତୀତ ସମସ୍ତ ପୋଲିଂ ବୁଥରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨  ହଜାର ୨୬୪ ଭୋଟର। ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ୍ ଗ୍ରହଣ ହେବ। ଗତକାଲି ବିଜେପୁରରେ ପ୍ରଚାର ଅଭିଯାନ ସମାପ୍ତ ହୋଇଥିଲା।  ବିଜେପୁର ଉପ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି। ବିଶେଷ କରି ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। 

ଏହି ଉପନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରୀତା ସାହୁ ମଇଦାନରେ ଥିବା ବେଳେ ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ଲଢୁଛନ୍ତି।  ମଇଦାନରେ ମୋଟ୍ ୫ ଜଣ ପ୍ରାର୍ଥୀ ଅଛନ୍ତି। ବହୁ ଚର୍ଚ୍ଚିତ ବିଜେପୁର ଆସନ ହାତେଇବା ପାଇଁ ତିନି ଦଳ ଜୋରସୋର ଉଦ୍ୟମ ଚଳାଇଛନ୍ତି। 

ଆସନ୍ତାକାଲି ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପାଇଁ ୨୮୫ଟି ବୁଥ୍ କରାଯାଇଛି। ଏଥିରୁ ୧୨୯ଟି ସମ୍ବେଦନଶୀଳ ଏବଂ ୬ଟି ମାଓ ପ୍ରବଣ ବୁଥ ରହିଛି। ସବୁ ବୁଥରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିରୁ ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିବେ। ୨୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀ ରହିବେ। ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହେବେ। 

ଗାଇସିଲେଟ୍ ବ୍ଲକକୁ ନକ୍ସଲ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଏହା ସହିତ ୬ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଲାର ସହିତ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ ପୋଲିସ ବଳ ସହିତ ୨ କମ୍ପାନୀ ସିଆରପିଏଫ ଯବାନ ମୁତୟନ କରାଯିବ। ମତଦାନ ସମୟରେ ସଂପୂର୍ଣ୍ଣ ବରଗଡ଼ ଜିଲ୍ଲାକୁ ନାକାବନ୍ଦୀ କରାଯିବ। ୪୦ଟି ମୋବାଇଲ ପେଟ୍ରୋଲିଂ ଟିମ୍ ଗୋଟିଏ ବୁଥରୁ ଅନ୍ୟ ବୁଥକୁ ପଇଁତରା ମାରିବେ। ନିର୍ବାଚନକୁ ଅବାଧମୁକ୍ତ କରିବାକୁ ମାଇକ୍ରୋ ଅବଜରଭର ନିଯୁକ୍ତ ହେବେ ବୋଲି ଏସପି କହିଛନ୍ତି। 

ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ. ଲୋହାନୀ କହିଛନ୍ତି ଯେ, ୧୨ ପ୍ରକାରର ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ମତଦାତା ମତଦାନ କରି ପାରିବେ। ପ୍ରତ୍ୟେକ ବୁଥରେ ଯୋଗାଇ ଦିଆଯାଇଥିବା ଇଭିଏମରେ ତ୍ରୁଟି ନଥିବା ସେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଏହି ଦୁଇ ବର୍ଷରେ ବିଜେପୁର ତିନୋଟି ନିର୍ବାଚନର ସମ୍ମୁଖୀନ ହୋଇଛି। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡି ଦଳରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ଏବଂ ପ୍ରାୟ ୪୦ ହଜାର ଭୋଟରେ ବିଜୟୀ ହୋଇଥିଲେ। ଏହା ପରେ ବିଧାନସଭା ନିର୍ବାଚନରେ ବିଜେପୁରରୁ ପ୍ରତିଦ୍ଵନ୍ଦିତା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ହଜାର ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ଆସନ ହିଞ୍ଜିଳି ରଖି ବିଜେପୁରକୁ ଛାଡ଼ିବା ପରେ ସେଠାରେ ଆସନ୍ତାକାଲି ଉପ ନିର୍ବାଚନ ହେବାକୁ ଯାଉଛି।