Home > ରାଜନୀତି
ଦୁଃଖ ପ୍ରକାଶ ଆଳରେ ଫିଲ୍ମ ଷ୍ଟାଇଲରେ ଧମକ ଦେଲେ ସାଂସଦ ଅନୁଭବ ମହାନ୍ତି
Khabar Odisha:state-odisha---kendrapada-MP-Anubhav-mohanty-threaten-Baijayanta-Panda
ଭୁବନେଶ୍ଵର, ନଭେମ୍ବର୦୮(ଖବର ଓଡ଼ିଶା):

 ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଫିଲ୍ମ ଷ୍ଟାଇଲରେ ଧମକ ଦେଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ସାମାଜିକ ଗଣମାଧ୍ୟମ ଟ୍ଵିଟରରେ ଶୁକ୍ରବାର ଏକ ଭିଡ଼ିଓ ରିଲିଜ୍ ଜରିଆରେ କ୍ଷମା ମାଗିବା ଆଳରେ ଧମକଭରା ସ୍ଵରରେ ବୟାନ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଭିଡ଼ିଓକୁ ଦେଖିଲେ ଲାଗୁଛି ଯେ ଏହି ଘଟଣାରେ ନା ସେ ଅନୁତପ୍ତ ଅଛନ୍ତି ନା ଅନୁସୋଚନା କରୁଛନ୍ତି। ଫିଲ୍ମ ଷ୍ଟାଇଲରେ ଡାଇଲଗ୍ ମାରିଛନ୍ତି ଅନୁଭବ।

ସାଂସଦ ମହୋଦୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଭିଡ଼ିଓର ଅବଧି ୧ ମିନିଟ୍ ୨୪ ସେକେଣ୍ଡ ରହିଛି ଏବଂ ଏଥିରେ ୩ଟି କଟ୍ ରହିଛି। ପ୍ରଥମ କଟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଥମ କଟରେ ସେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଗଣମାଧ୍ୟମକୁ ମୁଁ ସବୁ ବେଳେ ସହଯୋଗ କରି ଆସିଛି। ଓଟିଭି ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି, ଯାହା ଉଦ୍ଦେଶ୍ୟମୂଳକ ନଥିଲା।  ଏଥିପାଇଁ ମୁଁ ଦୁଃଖିତ ଥିବା  ଭିଡ଼ିଓରେ କହିଛନ୍ତି ଅନୁଭବ।

ମାତ୍ର ଦ୍ଵିତୀୟ ଓ ତୃତୀୟ କଟରେ କିନ୍ତୁ ପୂରା ଧମକ ଦେଇଛନ୍ତି ଅନୁଭବ। ଭିଡ଼ିଓରେ ମୁହଁର ଠାଣି ବଦଳାଇ ପୂରା ଧମକଭରା ସ୍ଵରରେ ଅନୁଭବ କହିଛନ୍ତି ଯେ, ବୈଜୟନ୍ତ ପଣ୍ଡା ମୋ ଠାରୁ ଲୋକସଭା ନିର୍ବାଚନରେ ଦେଢ ଲକ୍ଷ ବ୍ୟବଧାନରେ ହାରିବା ପରେ ତାଙ୍କ ମାଲିକାନାରେ ଥିବା ଓଟିଭି ମୋ ଚରିତ୍ର ସଂହାର କରିଆସୁଛି। ବୈଜୟନ୍ତ ବାବୁ ଏମିତି ନକରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ବୈଜୟନ୍ତ ବାବୁ ମୋତେ ଏମିତି ଅଯଥା ହଇରାଣ କରନ୍ତୁ ନାହିଁ। ମୁଁ କେନ୍ଦ୍ରାପଡ଼ାବାସୀଙ୍କ ସେବା କରୁଛି ଏବଂ କରି ଚାଲିଥିବି। ତେବେ ପୂରା ଭିଡ଼ିଓରେ ମନୋଜଙ୍କ ନାଁ ନେବାକୁ ସାହାସ ଜୁଟେଇ ପାରି ନାହାନ୍ତି ଅନୁଭବ। 

ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି । ଓଟିଭି ଗଣମାଧ୍ୟମ ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଜି କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜ୍ଜୁ କରାଯାଇଛି ।