Home > ରାଜନୀତି
ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ନବୀନ ନିବାସ ଘେରାଉ, ଝାଳନାଳ ପୋଲିସ
Khabar Odisha:state-odisha-BJP-Mahila-Morcha-stopped-by-police-near-Airport-Road-while-marching-towards-Naveen-Niwas
ଭୁବନେଶ୍ଵର, ଡିସେମ୍ଵର ୦୪ (ଖବର ଓଡିଶା) :

ରାଜ୍ୟ ତଥା ଦେଶରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିବାଦର ସ୍ଵର ତେଜୁଛି। ଏହି ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ନାରୀଙ୍କ ସୁରକ୍ଷା ଦାବି କରି ନବୀନ ନିବାସ ଘେରାଉ କରିଛି। ଏୟାରପୋର୍ଟ ରାସ୍ତାରୁ ନବୀନ ନିବାସ ଆଡକୁ ଗଲାବେଳେ ଆନ୍ଦୋଳନକାରୀଙ୍କୁ ପ୍ରଥମେ ପୋଲିସ ଅଟକାଇଥିଲା। ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ।  

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିଛି। ରାଜ୍ୟରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ଯାତନାକୁ ନେଇ ମହିଳା ମୋର୍ଚ୍ଚା ନବୀନ ନିବାସ ଆଡକୁ ମାଡି ଆସିଥିଲେ। ଏହି ସମୟରେ ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପ୍ରଥମେ ପୋଲିସ କର୍ମୀମାନଙ୍କୁ ଅଟକାଇଥିଲା। ପ୍ରଭାତି ପରିଡା, ସୁରମା ପାଢୀ ଆଜି ବିଜେପି ପ୍ରମୁଖଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତା ଦେଇ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଟ୍ରାଫିକ୍ ପୋଷ୍ଟ ଯାଏଁ ପହଁଚି ଯାଇଥିଲେ। ମହିଳା କର୍ମୀ ଅଚାନକ ମାଡି ଆସୁଥିବା ଦେଖି ପୋଲିସ ହଡବଡେଇ ଯାଇଥିଲା। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପଳାସପଲ୍ଲୀ ଆଡୁ ମାଡିଆସିଲେ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ। ଫଳରେ ଚତୁର୍ଦିଗରୁ ମାଡି ଆସୁଥିବା ମହିଳା କର୍ମୀଙ୍କୁ ଅଟକାଇବାକୁ ପୋଲିସ ଝାଳନାଳ ହୋଇଛି। 

ରାଜ୍ୟରେ ନାରୀଙ୍କ ପ୍ରତି ନିର୍ଯାତନାା ବଢିବାରେ ଲାଗିଛି। ରକ୍ଷକ ଆଜି ରାକ୍ଷସ ସାଜିଛି। ଖାକିରେ ଦାଗ ଲାଗିଛି। ରାଜ୍ୟରେ ନିର୍ଭୟା ଫଣ୍ଡର ଉପଯୋଗ ହୋଇନି। ଏପରି ବିଭିନ୍ନ ପ୍ରଶ୍ନ ନେଇ ବିଜେପି ମହିଳା ମୋର୍ଚ୍ଚା ଆଜି ରାସ୍ତାକୁ ଓହ୍ଲାଇଛି।