Home > ରାଜନୀତି
ଗୁଣ୍ଡା ଶାସନ ବରଦାସ୍ତ କରିବୁନି, ଆମକୁ କଣ ବାଉନସର ବଳିଯିବେ - ସୁର
Khabar Odisha:state-odisha-sura-routray-statement-congress-bhawan-under-bouncers-cover
ଭୁବନେଶ୍ଵର, ଜାନୁଆରୀ ୧୮ (ଖବର ଓଡ଼ିଶା) :

ବାଉନସର ବଳୟରେ କଂଗ୍ରେସ ଭବନ ଘଟଣାକୁ ତୀବ୍ର ବିରୋଧ କଲେ ସୁର ରାଉତରାୟ। ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି। ରାଜନୀତିରେ ଏମିତି ଉଚିତ୍ ନୁହେଁ, ଗୁଣ୍ଡା ଶାସନକୁ ବରଦାସ୍ତ କରିବୁ ନାହିଁ। ଆମକୁ କଣ ବାଉନସର ବଳିଯିବେ କି ବୋଲି ପ୍ରଶ୍ନ କଲେ ସୁର। ଛାତିକୁ ଧରି ବେକକୁ ଚିପି ଦେବୁ ଯେ ଝାଡ଼ା ବାହାରି ପଡିବ। ଆମେ ଡ଼ାକିଲେ ୫ ହଜାର ଲୋକ ଆସିବେ, ବାଉନସର କଣ କରିବେ ବୋଲି କହି କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ସୁର। 

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଭବନ ଆଗରେ ଆଜି ଚାଲିଛି ହାଇଭୋଲଟେଜ୍ ଡ୍ରାମା। ପଦାରେ ପଡି ରାସ୍ତାରେ ଗଡୁଛି କଂଗ୍ରେସର ଗୋଷ୍ଠୀ କନ୍ଦଳ। ଗତକାଲି ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହୋଇଛି ଉତ୍ତେଜନା ହୋଇଥିଲା। ଏପରିକି କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ଏହାପରେ କଂଗ୍ରେସ ଭବନ ବାହରେ ଗଣ୍ଡଗୋଳ ଆଶଙ୍କା କରି ବାଉନସରଙ୍କୁ ନିୟୋଜିତ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଉନ୍ସରଙ୍କ ସହ ପିସିସି କାର‌୍ୟ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। 

ଏହି ଘଟଣାକୁ ଏବେ ସର୍ବସାଧାରଣରେ ନିନ୍ଦା କରାଯାଉଛି। ଏପରିକି ବାପାଙ୍କ ସୁରକ୍ଷା ପାଇଁ ପୁଅ ଭଡ଼ାଟିଆ ଗୁଣ୍ଡା ଜଗାଇଛି ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି।