Home > ରାଜନୀତି
କର୍ଣ୍ଣାଟକରେ ବସ୍‌ ଜାଳିଲେ ଶିବକୁମାରଙ୍କ ସମର୍ଥକ, ଆଜି ସ୍କୁଲ-କଲେଜ ବନ୍ଦ
Khabar Odisha:supporters-of-shivkumar-burnt-buses-in-karnatak
ବେଙ୍ଗାଲୁରୁ, ସେପ୍ଟେମ୍ବର ୪ (ଖବର ଓଡ଼ିଶା):

ମନି ଲଣ୍ଡ୍ରିଂ ମାମାଲାରେ ଡିକେ ଶିବକୁମାରଙ୍କ ଗିରଫଦାରୀକୁ ବିରୋଧ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଦଳୀୟ କର୍ମକର୍ତ୍ତାମାନେ ବୁଧବାର କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବସ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି ।

ଶିବକୁମାରଙ୍କୁ ଗିରଫ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମେଡ଼ିକାଲ ଯାଞ୍ଚ ପାଇଁ ନେବା ବେଳେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ । ରାମନଗର ଅଂଚଳରେ ଦୁଇଟି ବସ୍‌ ଜାଳି ଦେଇଛନ୍ତି । କିଛି ବସ୍‌ ଉପରକୁ ପଥର ମାଡ଼ ମଧ୍ୟ କରିଛନ୍ତି । ହିଂସାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ରାମନଗରରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ସାରା ରାଜ୍ୟରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟପକ୍ଷରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବକୁମାରଙ୍କୁ କୋର୍ଟରେ ହାଜର କରିବାର ସୂଚନା ରହିଛି । କୋର୍ଟରେ ହାଜର କରି ଇଡି ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ଏହାରି ମଧ୍ୟରେ ଶିବକୁମାର ତାଙ୍କ ସମର୍ଥକମାନଙ୍କୁ ନିରାଶ ନ ହେବାକୁ କହିଛନ୍ତି । ସେ କୌଣସି ବେଆଇନ କାମ କରି ନାହାଁନ୍ତି । ଭଗବାନ ଓ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛି । ଏହି ଗିରଫଦାରୀକୁ ସେ ରାଜନୀତି ସହିତ ଯୋଡ଼ିଛନ୍ତି । 

  • Tags: