Home > ଖବର ଓଡିଶା ସ୍ପେସିଆଲ
ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ହେରାପଞ୍ଚମୀ, ମା ଲକ୍ଷ୍ମୀ ଭାଙ୍ଗିବେ ମହାପ୍ରଭୁ ଜଗନ୍ନାଥଙ୍କ ରଥ
Khabar Odisha:Hera-Panchami-Miffed-Laxmi-damages-Nandighosh
ପୁରୀ, ଜୁନ ୨୬ (ଖବର ଓଡ଼ିଶା):

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି । ବିଧିପରମ୍ପରା ପୂର୍ବକ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଣ୍ଠିଆଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସହ ଜନ୍ମ ବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ମହାଲକ୍ଷ୍ମୀ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଆଜି ବନକଲାଗି ହେବେ । ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ସୁଙ୍ଗାର କରିବେ । ମହାଲକ୍ଷ୍ମୀଙ୍କ ସହ ଭେଟଭାଟ ପୂର୍ବରୁ ମହାପ୍ରଭୁଙ୍କୁ ଅତି ଆକର୍ଷଣୀୟ ଭାବେ ପାରମ୍ପରିକ ରଙ୍ଗରେ ସୁସଜ୍ଜିତ କରିବେ ଦତ୍ତମହାପାତ୍ର ସେବକ । ମହାପ୍ରଭୁ ଏହି ଚକ୍ଷୁରେ ସାରା ବିଶ୍ୱକୁ ଆକର୍ଷିତ କରିବା ସହ ଇଙ୍ଗିତ ପ୍ରଦାନ କରିଥାନ୍ତି । ଦ୍ୱିପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀଗୁଣ୍ଡିଚା ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ଚାରିଘଣ୍ଟାର ନିତି ହୋଇଥିବା କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଯେହେତୁ କୋଭିଡ କଟକଣା ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନେଇ ଭକ୍ତଙ୍କ ଦର୍ଶନ ବ୍ଯବସ୍ଥା ଉପରେ ରୋକ୍ ଲଗାଯାଇଛି ତେଣୁ ଭକ୍ତମାନେ ମହାପ୍ରଭୁଙ୍କୁ ବନକଲାଗି ପରେ ଦର୍ଶନ କରି ପାରିବେ ନାହିଁ ।

  • Tags: