Home > ଖବର ଓଡିଶା ସ୍ପେସିଆଲ
ଓଡିଶାର ପରିଚୟ, ଇନ୍ଦିରା ଗାନ୍ଧୀଙ୍କ ଠାରୁ ଐଶ୍ଵର୍ଯା ରାୟଙ୍କ ଯାଏଁ ସମସ୍ତଙ୍କ ନିକଟରେ ବେଶ୍ ଆଦୃତ ହୋଇଛି ସମ୍ବଲପୁରୀ ସାଢୀ
Khabar Odisha:national-odisha-sambalpuri-sari-odisha-island-village
ଭୁବନେଶ୍ଵର, ଅଗଷ୍ଟ ୩୦ (ଖବର ଓଡିଶା) :

 ବୌଦ୍ଧ ଜିଲ୍ଲାର ମରଜାକୁଦ ନାମକ ଏକ ଗ୍ରାମ ରହିଛି। ଏହି ଗ୍ରାମକୁ ଯିବା ପାଇଁ ନଦୀ ପାର ହେବାକୁ ପଡିବ। ନଦୀ କୂଳରେ ଥିବା ଛୋଟ ନୌକା ସାହାଯ୍ୟରେ ଆପଣଙ୍କୁ ନଦୀ ପାର କରିବାକୁ ପଡିବ। ଏହି ଗ୍ରାମରେ ବୁଣା ଯାଉଥିବା ସମ୍ବଲପୁରୀ ସାଢୀ ଗ୍ରାମୀଣଙ୍କର ମୁଖ୍ୟ ରୋଜଗାରର ସ୍ରୋତ। ଗୋଟିଏ ସାଢୀ ବୁଣିବା ପାଇଁ ଯଦି ଗୋଟିଏ ପରିବାର ଲାଗି ପଡନ୍ତି ତେବେ ୩୦ରୁ ୪୦ ଦିନ ସମୟ ଲାଗେ। ଏହି ସମ୍ବଲପୁରୀ ସାଢୀକୁ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଐଶ୍ଵର୍ଯା ରାୟଙ୍କ ଯାଏଁ ସମସ୍ତେ ବେଶ୍ ପସନ୍ଦ କରନ୍ତି। 

ଆମେ କହୁଛୁ ମରଜାକୁଦ ଗ୍ରାମର ପରମେଶ୍ଵର ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ। ସେ ଜଣେ ସମ୍ବଲପୁରୀ ସାଢୀ ବୁଣାକାର। ସେ ତାଙ୍କର କାରିଗରୀକୁ କଳା ରୂପରେ ଗ୍ରହଣ କରିଛନ୍ତି। ତାଙ୍କ ସହ ପରିବାର ଲୋକ ମଧ୍ୟ ବୁଣାବୁଣି କରନ୍ତି। ସେମାନେ ବୁଣା ଯାଇଥିବା ସାଢୀକୁ ମେଳାରେ ନେଇ ବିକ୍ରୀ କରନ୍ତି। ସେମାନଙ୍କର ଚଳଣି ଖୁବ୍ ସାଧାରଣ। ସାଢୀ ବୁଣି ସୁରୁଖୁରୁରେ ପରମେଶ୍ଵରଙ୍କ ପରିବାର ଚଳେ। ଦିଲ୍ଲୀ ମୁମ୍ବାଇ ଯଏଁବି ତାଙ୍କର ଗ୍ରାହକ ଅଛନ୍ତି ବୋଲି ପରମେଶ୍ଵର କହିଛନ୍ତି। 

ସମ୍ବଲପୁରୀ ସାଢୀରେ ସାଧାରଣତଃ ଶଙ୍ଖ, ଚକ୍ର, ପୁଷ୍ପ, ଜଗନ୍ନାଥଙ୍କ ଡିଜାଇନ ସବୁ ଥାଏ। କିନ୍ତୁ ଏବେ ସେମାନେ କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ପଶୁ ପକ୍ଷୀଙ୍କ ଚିତ୍ର, କୌଣସୀ କବିତାର ପଂକ୍ତି ମଧ୍ୟ ଏଥିରେ ବୁଣା ଯାଉଛି। ଏହି ସାଢୀକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଛି। ସମ୍ବଲପୁରୀ ସାଢୀ ବୁଣୁଥିବା ବହୁ ବୁଣାକାରଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି। ପଶ୍ଚିମ ଓଡିଶାକୁ ସମ୍ବଲପୁରୀ ସାଢୀର ଗଡ ବୋଲି ମଧ୍ୟ କୁହାଯାଏ। ସମ୍ବଲପୁର, ସୋନପୁର, ବରଗଡ, ବ୍ରହ୍ମପୁର, ବଲାଙ୍ଗୀର ଏବଂ ବୌଦ୍ଧ ଏହି ୬ଟି ଜିଲ୍ଲାକୁ ସମ୍ବଲପୁରୀ ସାଢୀର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ। ଏହି ସାଢୀର ବେଶ୍ ଚାହିଦା ଥିବାରୁ ୫୦୦ରୁ ୫୦ ହଜାର ଯାଏଁ ଦାମ୍ ରହିଥାଏ। ଏହା ସୂତାର ଗୁଣବତ୍ତା ଓ ବୁଣାକାରର ପରିଶ୍ରମ ଉପରେ ନିର୍ଭର କରେ। ତେବେ ସେମାନେ ପ୍ରାୟତଃ ସାଧାରଣ ବର୍ଗ ପାଇଁ ସାଢୀ ବୁଣନ୍ତି।