Home > ଖବର ଓଡିଶା ସ୍ପେସିଆଲ
୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ, ୪୨ ପରେ ବିଗିଡ଼ିଲା ସ୍ଵାସ୍ଥ୍ୟ, ହସ୍ପିଟାଲରେ ମୃତ୍ୟୁ
Khabar Odisha:special-odisha-jaunpur-man-died-on-eating-42-eggs-due-to-bet-in-jaunpu
ଜୌନପୁର, ନଭେମ୍ବର୦୪(ଖବର ଓଡ଼ିଶା):

ଉତ୍ତର ପ୍ରଦେଶର ଜୌନପୁରରେ ହସ ହସରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ପାଲଟିଗଲା। ଅଣ୍ଡା ଓ ମଦ ଉପରେ ଲାଗିଥିବା ସର୍ତ୍ତ ଜିତିବା ଚକ୍କରରେ ଜଣେ ବ୍ୟକ୍ତିଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଛି।  ବ୍ୟକ୍ତି ଜଣକ ୫୦ ଅଣ୍ଡା ଖାଇଲେ ଦୁଇ ହଜାର ଟଙ୍କା ମିଳିବା ସର୍ତ୍ତ ଲଗାଇଥିଲେ। ମାତ୍ର ୪୨ଟି ଅଣ୍ଡା ଖାଇବା ମାତ୍ରେ ଅଚେତ୍ ହୋଇ ପଡ଼ିଥିଲେ। ଚିକିତ୍ସା ଲାଗି ତୁରନ୍ତ ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲା ୟୁପିର ଜୌନପୁରର ବିବିଗଞ୍ଜ ବଜାରର। ସୂଚନା ଅନୁଯାୟୀ  ଶାହଗଞ୍ଜ କୌତଲବାଲି ଅଞ୍ଚଳର ଅର୍ଗୁପୁର କଲାନ ଧୌରହରା ଗାଁର ସୁଭାଷ ଯାଦବ(୪୨)  ଟ୍ରାକ୍ଟର ଓ ବୋଲେରୋ ଚଲାଇ ପରିବାର ଚଳାଉଥିଲେ। ସେ ଶୁକ୍ରବାର ସନ୍ଧ୍ୟାରେ ବିବିଗଞ୍ଜ ବଜାରରେ ଜଣେ ସାଥୀଙ୍କ ସହ ଅଣ୍ଡା ଖାଇବାକୁ ଯାଇଥିଲେ। ସେଠାରେ କିଏ କେତେ ଅଣ୍ଡା ଖାଇ ପାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଲା ଏବଂ ସର୍ତ୍ତ ମଧ୍ୟ ଲାଗି ଯାଇଥିଲା। ୫୦ ଅଣ୍ଡା ଓ ଗୋଟିଏ ବୋତଲ ମଦ ପିଇଲେ ୨୦୦୦ ଟଙ୍କା ଦେବାର ସର୍ତ୍ତ ଲାଗିଥିଲା। 

ସୁଭାଷ ସର୍ତ୍ତ ମାନି ନେଇଥିଲେ ଓ ଅଣ୍ଡା ଖାଇବା ଆରମ୍ଭ କରି ଦେଇଥିଲେ। ସେ ୪୧ ଅଣ୍ଡା ଖାଇ ଦେଇଥିଲେ, ମାତ୍ର ଯେମିତି ୪୨ତମ ଅଣ୍ଡା ଖାଇଲେ ସେ ଅଚେତ୍ ହୋଇ ତଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ସ୍ନାତକତ୍ତୋର ଆୟୁର୍ବିଜ୍ଞାନ ସଂସ୍ଥାନ ସ୍ଥାନାନ୍ତର କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଉଲ୍ଲେଖଯୋଗ୍ୟ,  ସୁଭାଷ ଚଳିତ ବର୍ଷ ଦ୍ଵିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଠୁ ଚାରୋଟି ଝିଅ ହେବା ପରେ ସେ ନଅ ମାସ ପୂର୍ବେ ଦ୍ଵିତୀୟ ବିବାହ କରିଥିଲେ। ପରିଜନଙ୍କ ମୁତାବକ ତାଙ୍କର ଦ୍ଵିତୀୟ ପତ୍ନୀ ସଂପ୍ରତି ଗର୍ଭବତୀ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।